ଟୋକିଓ ଟିକେଟ୍ ପାଇଁ ଦୂତୀଙ୍କ ଦୃଢ଼ୋକ୍ତି

ଭୁବନେଶ୍ୱର, ଏଜେନ୍ସି : ନିକଟରେ ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ରାଞ୍ଚିଠାରେ ଅନୁଷ୍ଠିତ ଇଭେଣ୍ଡରେ ୧୧.୨୨ ସେକେଣ୍ଡ୍ ସମୟ ନେଇ ୧୦୦ ମିଟର ଦୌଡ଼ି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏହି ସମୟକୁ ସେ ଆଗାମୀ ଦିନରେ ଅଧିକ ପରିଶ୍ରମ ପୂର୍ବକ ଆହୁରି କମାଇ ୧୧.୧୫ ସେକେଣ୍ଡ୍ ସମୟରେ ଶହେ ମିଟର ଦୂରତା ପୂରଣ କରିପାରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଏହି ଓଡ଼ିଆ ଆଥଲେଟ୍। ନିକଟରେ ଦୋହାଠାରେ ଅନୁଷ୍ଠିତ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନଶିପରେ କୌଣସି ପ୍ରକାର ପ୍ରଭାବିତ କରିପାରି ନ ଥିବା ଦୂତୀ ଆସନ୍ତା ୨୦୨୦ରେ ଜାପାନ ରାଜଧାନୀ ଟୋକିଓଠାରେ ହେବାକୁ ଥିବା ଟୋକିଓ ପାଇଁ ଟିକେଟ୍ ହାସଲ କରିବା ନେଇ ବେଶ୍ ଆଶାବାଦୀ ଅଛନ୍ତି। ଦୋହା ଚାମ୍ପିଅନଶିପରେ ଭାଗ ନେବା ସକାଶେ ସେ ଯେପରି ପରିଶ୍ରମ କରିଥିଲେ, ସେ ପରିଶ୍ରମର ଫଳ ତାଙ୍କୁ ରାଞ୍ଚିରେ ମିଳିଲା ବୋଲି ଦୂତୀ କହିଛନ୍ତି। ଅଲିମ୍ପିକ୍ସକୁ ଆହୁରି ୬ରୁ ୭ ମାସ ସମୟ ବାକି ଥିବା ବେଳେ ବର୍ତ୍ତମାନଠାରୁ କିପରି ଟୋକିଓ ଟିକେଟ୍ ହାସଲ କରିବି, ତା’ ଉପରେ କେବଳ ଫୋକସ୍ କରିବି। ତେବେ ଚଳିତ ବର୍ଷ ସମସ୍ତ ଇଭେଣ୍ଟ୍ ଶେଷ ହୋଇସାରିଥିବାରୁ ଆସନ୍ତା ବର୍ଷର ଇଭେଣ୍ଟ୍ କ୍ୟାଲେଣ୍ଡର୍କୁ ଅପେକ୍ଷା କରିବି ବୋଲି ଦୂତୀ କହିଛନ୍ତି। ଦୋହାରେ ହିଟ୍ରେ ସପ୍ତମ ସ୍ଥାନରେ ରହି ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବା ବେଳେ ଏଥିପାଇଁ ସେଠାକାର ଉଷ୍ମ ପାଣିପାଗକୁ ଦୂତୀ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଶରୀର ସେଠାକାର ପାଣିପାଗ ସହ ଖାପ ଖୁଆଇ ନ ପାରିବାରୁ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଦୂତୀ ରାଜନୀତିରେ ପ୍ରବେଶ କରିବେ ବୋଲି ପୂର୍ବରୁ ସଙ୍କେତ ଦେଇସାରିଥିଲେ ହେଁ ବର୍ତ୍ତମାନ ରାଜନୀତି ପାଇଁ ତାଙ୍କର ବୟସ ହୋଇନାହିଁ। ବର୍ତ୍ତମାନ ସେ କେବଳ ଇଭେଣ୍ଟ୍ ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ଆଥଲେଟିକ୍ସରୁ ଅବସର ନେବା ପରେ ସେ ରାଜନୀତିରେ ସାମିଲ୍ ହୋଇ ରାଜ୍ୟବାସୀଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଦୂତୀ କହିଛନ୍ତି।