ନିରାଶ କଲେ ଦୂତୀ ଓ ଜବିର୍

ଦୋହା,ଏଜେନ୍ସି: ଏଠାରେ ଚାଲିଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ଶିପ୍ର ଦ୍ୱିତୀୟ ଦିନରେ ଭାରତକୁ ଡବଲ୍ ଝଟ୍କା ଲାଗିଛି। ପ୍ରଥମ ଦିନରେ ଦୁଇ ଜଣ ପ୍ରତିଯୋଗୀ ଲଙ୍କ୍ ଜମ୍ପର୍ ଶ୍ରୀଶଙ୍କର ମୁରଲୀ ହିଟ୍ସରେ ୨୨ତମ ସ୍ଥାନରେ ରହି ଓ ୪୦୦ ମିଟର ବାଧାଦୌଡ଼ରେ ଧରୁନ୍ ଆୟାସାମି ଷଷ୍ଠ ସ୍ଥାନରେ ରହି ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଶୁକ୍ରବାର ୪୦୦ ମିଟର ବାଧାଦୌଡ଼ରେ ଏସିଆନ୍ ଗେମ୍ସ ବ୍ରୋଞ୍ଜ୍ ପଦକଧାରୀ ଏମ୍ପି ଜବିର୍ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। କିନ୍ତୁ ସେ ସେମିଫାଇନାଲ୍ରେ ଶନିବାର ବିଫଳ ହୋଇଛନ୍ତି ଓ ପ୍ରତିଯୋଗିତାରୁ ସଅଳ ବିଦାୟ ନେଇଛନ୍ତି। ଜବିର୍ ୪୯.୭୧ ସେକେଣ୍ଡ୍ ସମୟ ନେଇ ପଞ୍ଚମ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟ୍ରେ ରାଇ ବାଞ୍ଜାମିମ୍ ୪୮.୫୩ ସେକେଣ୍ଡ୍ ସହ ପ୍ରଥମ ଓ ଆବଦର୍ରହମାନ୍ ସାମ୍ବା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ ୧୦୦ ମିଟର ଦୌଡ଼ରେ ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କ ଉପରେ ସମସ୍ତ ଭାରତବାସୀଙ୍କ ଭରସା ଥିଲେ ହେଁ ସେ ମଧ୍ୟ ଅନ୍ୟାନ୍ୟ ପ୍ରତିଯୋଗୀଙ୍କ ପରି ନିରାଶ କରିଛନ୍ତି। ଦୂତୀ ତାଙ୍କ ଶ୍ରେଷ୍ଠ ଟାଇମିଂ ୧୧.୨୬ ସେକେଣ୍ଡ୍ଠାରୁ ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ କରି ଶହେ ମିଟର ଅତିକ୍ରମ କରିବା ସକାଶେ ୧୧.୪୮ ସେକେଣ୍ଡ୍ ସମୟ ନେଇଥିଲେ। ତେଣୁ ସେ ହିଟ୍ସରେ ନିଜ ଗ୍ରୁପ୍ରେ ସପ୍ତମ ସ୍ଥାନରେ ରହିଥିଲେ। ସେ ୪୭ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୩୭ତମ ସ୍ଥାନରେ ରହିଥିଲେ।

ଚଳିତ ସିଜନ୍ରେ ଦୂତୀଙ୍କର ଏହା ସର୍ବଠାରୁ ନିକୃଷ୍ଟ ପ୍ରଦର୍ଶନ। ଦୂତୀଙ୍କ ହିଟ୍ସରେ ସମୁଦାୟ ୮ ଜଣ ପ୍ରତିଯୋଗୀ ରହିଥିଲେ। ଦୂତୀଙ୍କ ଷ୍ଟାର୍ଟ ମଧ୍ୟ ପ୍ରଭାବଶାଳୀ ରହିଥିଲା। ଅଧିକନ୍ତୁ ୫୦ ମିଟର ଦୂରତା ପୂରଣ ପର୍ଯ୍ୟନ୍ତ ଦୂତୀ ଆଗରେ ରହିଥିଲେ। କିନ୍ତୁ ଏହାପରେ ସେ କ୍ରମଶଃ ମନ୍ଥର ହୋଇଯାଇଥିଲେ ଓ ସପ୍ତମ ସ୍ଥାନରେ ଦୌଡ଼ ଶେଷ କରିଥିଲେ। ଏଥିସହ ଦୂତୀ ଆଗାମୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ପାଇଁ ରଖିଥିବା ଲକ୍ଷ୍ୟ ମଧ୍ୟ ପୂରଣ କରିପାରିନାହାନ୍ତି। ଗତ ଏପ୍ରିଲ୍ରେ ଏହି ଟ୍ରାକ୍ରେ ୨୩ ବର୍ଷୀୟା ଦୂତୀ ୧୧.୨୮ ସେକେଣ୍ଡ୍ ସହ ହିଟ୍ସ ପୂରଣ କରିଥିବା ବେଳେ ସେମିଫାଇନାଲ୍ରେ ୧୧.୨୬ ସେକେଣ୍ଡ୍ ସମୟ ନେଇ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ଏହି ହିଟ୍ସରେ ଏଲେନ୍ ଥମ୍ପ୍ସନ୍ ୧୧.୧୪ ସେକେଣ୍ଡ୍ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ କେଲି-ଆନ୍ ବାପ୍ଟିଷ୍ଟ୍ ଦ୍ୱିତୀୟ ଓ ମୋରୋଲେକ୍ ଆକିନୋସୁନ୍ ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ପୁରୁଷ ୧୦୦ ମିଟର ଦୌଡ଼ରେ କାନାଡାର ଆନ୍ଦ୍ରେ ଡି’ ଗ୍ରାସୋ ୧୦.୧୭ ସେକେଣ୍ଡ୍ ସମୟ ସହ ଆମେରିକାର ଜଷ୍ଟିନ୍ ଗାଟଲିନ୍ଙ୍କୁ ପଛରେ ପକାଇ ଦେଇଛନ୍ତି। ସେହିପରି ଜାମାଇକାର ୟୋହାନ୍ ବ୍ଲେକ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଦର୍ଶକମାନଙ୍କ ନଜର ଗାଟଲିନ୍ ଓ ବ୍ଲେକ୍ଙ୍କ ଉପରେ ରହିଥିବା ବେଳେ ଡି ଗ୍ରାସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଏକ ନମ୍ବରରେ ରହିଥିଲେ।