ସରସ୍ୱତୀଙ୍କ ଗୋହି ଖୋଳିଲେ ଦୂତୀ, ଆଣିଲେ ସମଲିଙ୍ଗୀ ସମ୍ପର୍କ ଅଭିଯୋଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଗତବର୍ଷ ମେ’ରେ ନିଜର ସମଲିଙ୍ଗୀ ସମ୍ପର୍କର ଖୁଲାସା କରି ବେଶ୍ ଚର୍ଚ୍ଚିତ ହୋଇଥିଲେ। ଭାରତରେ ପ୍ରଥମ କ୍ରୀଡ଼ାବିତ୍ ଭାବେ ସେ ଜଣେ ଝିଅଙ୍କୁ ହିଁ ବିବାହ କରିବେ ବୋଲି ଘୋଷଣା କରିଥିଲେ। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲେ ହେଁ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ୍ ମିଡିଆରେ ଏହାକୁ ବିରୋଧ କରିଥିଲେ। ଏପରିକି ତାଙ୍କ ପିତାମାତା ମଧ୍ୟ ଦୂତୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ। ସାନ ଭଉଣୀଙ୍କ ନିଷ୍ପତ୍ତିକୁ ବିରୋଧ କରୁଥିବା ସରସ୍ୱତୀ ନିଜେ ସମଲିଙ୍ଗୀ ସମ୍ପର୍କରେ ରହିଥିବା ଦୂତୀ ଅଭିଯୋଗ କରିଛନ୍ତି।

ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ ଦୂତୀ କହିଛନ୍ତି, ମୁଁ ଯେତେବେଳେ ସମଲିଙ୍ଗୀ ସମ୍ପର୍କ ନେଇ ଗଣମାଧ୍ୟମରେ ମୁହଁ ଖୋଲିଥିଲି, ସେତେବେଳେ ମୋ ବଡ଼ ଭଉଣୀ ସରସ୍ୱତୀ କଡ଼ା ବିରୋଧ କରିଥିଲେ। ସେ ମୋ ବାପା-ମା’ଙ୍କୁ ମତାଇ ଜନ୍ମମାଟିରେ ପାଦ ପକାଇବାରୁ ବଞ୍ଚିତ କରିଛନ୍ତି। ଏହା ନିୟମିତ ଭାବେ ମୋତେ ଭାରାକ୍ରାନ୍ତ କରିଆସିଛି ଓ ଆଗାମୀ ଅଲମ୍ପିକ୍ ପାଇଁ ଚଳାଇଥିବା ପ୍ରସ୍ତୁତି ମଧ୍ୟ ଏହାଦ୍ୱାରା ବାଧାପ୍ରାପ୍ତ ହେଉଛି। ମୁଁ ତାଙ୍କର ସାନ ଭଉଣୀ ହୋଇଥିଲେ ହେଁ ମାଡ଼ଗାଳି ଦେବାକୁ ମଧ୍ୟ ପଛାଇ ନାହାନ୍ତି। କିନ୍ତୁ ଏବେ ବଡ଼ ଭଉଣୀ ମଧ୍ୟ ସମଲିଙ୍ଗୀ ସମ୍ପର୍କରେ ରହିଥିବା ଜାଣିବାକୁ ପାଇଛି। ମୋ ଘର ପାଖ ଲୋକେ ଏ ସମ୍ପର୍କରେ ମୋତେ କହିଛନ୍ତି। ସରସ୍ୱତୀଙ୍କର ତାଙ୍କର ଜଣେ ଛାତ୍ରୀ ସହ ସମଲିଙ୍ଗୀ ସମ୍ପର୍କ ରହିଛି। ସେ ଛାତ୍ରୀ ଜଣକ ଆମ ଘରେ ରହୁଛନ୍ତି। ତାଙ୍କୁ ସରସ୍ୱତୀ ନିଜ ଛାତ୍ରୀ ବୋଲି ପରିଚୟ ଦେଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଛି ବୋଲି ଦୂତୀ ଅଭିଯୋଗ କରିଛନ୍ତି। ତେବେ ନିଜ ପସନ୍ଦରେ କିଛି ବି କରିପାରିବାର ସ୍ୱାଧୀନତା ସରସ୍ୱତୀଙ୍କର ରହିଛି। ତେଣୁ ସେ ଏହାକୁ ଆଦୌ ବିରୋଧ କରୁନଥିବା କହିଛନ୍ତି।

କିନ୍ତୁ ସରସ୍ୱତୀ ତାଙ୍କୁ କ’ଣ ପାଇଁ ବିରୋଧ କରୁଛନ୍ତି ଓ ତାଙ୍କ ସମ୍ପର୍କରେ ନିୟମିତ ଭାବେ ସୋସିଆଲ୍ ମିଡିଆରେ ସମାଲୋଚନମୂଳକ ପୋଷ୍ଟ୍ କ’ଣ ପାଇଁ କରୁଛନ୍ତି ବୋଲି ଦୂତୀ ପ୍ରଶ୍ନ କରିଛନ୍ତି। ତେବେ ଚାନ୍ଦ ଭଉଣୀଙ୍କ କଳି କ୍ରମଶଃ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉଥିବା ବେଳେ ବଡ଼ ଭଉଣୀ ସରସ୍ୱତୀଙ୍କୁ ଭେଟିଲେ ହିଁ ଏହି ସମସ୍ୟାର ସମାଧାନ ହେବ ବୋଲି ଦୂତୀ କହିଛନ୍ତି। ଅନ୍ୟପକ୍ଷରେ ଏପରି ଅଭିଯୋଗର କୌଣସି ସତ୍ୟତା ନାହିଁ ଓ ଦୂତୀ ତାଙ୍କର ସାନ ଭଉଣୀ ହୋଇଥିବାରୁ ତାଙ୍କ ଅଭିଯୋଗକୁ ସେ ଗୁରୁତ୍ୱ ଦେଉ ନ ଥିବା ସରସ୍ୱତୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।