କରୋନା ସମୟରେ ସରକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରନ୍ତୁ : ଆପ୍

ବରଗଡ଼,ଏନ୍ଏନ୍ଏସ୍ : କରୋନା ସମୟରେ ସରକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରନ୍ତୁ ବୋଲି ଆମ ଆଦମୀ ପାର୍ଟି ତରଫରୁ ବରଗଡ଼ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ବରଗଡ଼ରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲ ତଥା କୋଭିଡ କେୟାର ସେଣ୍ଟରରେ ସେ ତୁଳନାରେ ଆନୁଷଙ୍ଗିକ ସୁବିଧାସୁଯୋଗ ନଥିବାରୁ ଆପ୍ ତରଫରୁ ଉଦବେଗ ପ୍ରକାଶ ପାଇଥିଲା । ୯ ତାରିଖ ସୁଦ୍ଧା ଜିଲ୍ଲାରେ ୧,୬୪୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ମାତ୍ର ୩୨୨ଟି ଶଯ୍ୟା, ୫ଟି ଭେଣ୍ଟିଲେଟର ଓ ୮ ଟି ଆଇସିୟୁରେ ଚିକିତ୍ସା ସେବା ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ଆପ ତରଫରୁ କୁହାଯାଇଛି। ବର୍ତ୍ତମାନ ସ୍ଥିତିରେ ଅନୁନ୍ୟ ହଜାରେ ଶଯ୍ୟା ସହ ୧୦୦ଟି ଭେଣ୍ଟିଲେଟର ଏବଂ ଆଇସିୟୁ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ସେହିପରି ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ସମେତ ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଅକ୍ସି ମିଟର ପ୍ରଦାନ କରାଯାଉ ବୋଲି ଆପ ତରଫରୁ କୁହାଯାଇଛି । ଏତଦବ୍ୟତୀତ ଆଣ୍ଟିଜେନ ଟେଷ୍ଟ, ଆରଟି -ପିସିଆର ଟେଷ୍ଟକୁ ବ୍ୟାପକ କରାଯାଇ ରକ୍ତ ଶିକୁଳି, ରକ୍ତହୀନତା କୋଭିଡ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସେବା ଯୋଗାଇ ଦିଆଯାଉ। ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବଦାହ ସମ୍ମାନର ସହ କରାଯାଉ ବୋଲି ଆମ ଆଦମୀ ପାର୍ଟି ତରଫରୁ ଦାବି କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆପ‌ର ଆବାହକ ଭବାନୀ ପ୍ରସାଦ ସାହୁ , ଅମିତାଭ ପାତ୍ର, ଆଇନଜୀବୀ ରମେଶ ପତି ଓ ମାରିୟମ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ ।