ଦଶହରାରରେ ଭିଜିବ ଓଡିଶା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ୨୧ ତାରିଖରେ କାକିନଡ଼ା ଓ ମଛଲିପାଟଣମ ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାପରେ ୨୨ ତାରିଖରେ ଉତ୍ତର-ଦକ୍ଷିଣ ଦିଗରେ ଓଡ଼ିଶାରୁ ଆନ୍ଧ୍ର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ସେ କହିଛନ୍ତି ଯେ ଏହି ଘୂର୍ଣ୍ଣିବଳୟ ଟି କ୍ରମଶଃ ସଂଗଠିତ ହୋଇ ସଙ୍କୁଚିତ ହେବା ସହିତ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସମ୍ଭବତଃ ୨୪ ବେଳକୁ ଉତ୍ତର ବଙ୍ଗୋପସାଗର ମୁଣ୍ଡ ଓ ସଂଲଗ୍ନ ବାଙ୍ଗଲାଦେଶରେ ଏକ ଘୂର୍ଣ୍ଣି ବଳୟ ଉପରୋକ୍ତ ଘୂର୍ଣ୍ଣିବଳୟରେ ସହ୍ନିହିତ ହୋଇପାରେ। ଫଳରେ ଦକ୍ଷିଣ ବଙ୍ଗୋପସାଗରରୁ ପବନ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ବାଙ୍ଗଲାଦେଶ ଯିବ। ଅନୁମାନ କରାଯାଉଛି ଯେ ଏସବୁ ପ୍ରଭାବରେ ରାଜ୍ୟରେ ବର୍ଷା ଆସନ୍ତା ୨୮ ପର୍ଯ୍ୟନ୍ତ ଲାଗି ରହିବ। ଆଭ୍ୟନ୍ତରୀଣ ଦକ୍ଷିଣରେ ୨୪-୨୮ ଆଭ୍ୟନ୍ତରୀଣ ପଶ୍ଚିମ ଓ ଉତ୍ତରପଶ୍ଚିମରେ ୨୫-୨୮ ଏବଂ ଉପକୂଳବର୍ତ୍ତୀ ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗଜପତି ଓ ରାୟଗଡ଼ାରେ ୨୦-୨୮ ପର୍ଯନ୍ତ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।