ଫିକା ପଡିଲା ଦୁର୍ଗାପୂଜା, କୋଭିଡ କଟକଣା ମଧ୍ୟରେ ହେବ ମାଆଙ୍କ ନୀତିକାନ୍ତି

ଦେବଗଡ଼, ଏନ୍ଏନ୍ଏସ୍: କରୋନା କଟକଣା ଯୋଗୁଁ ଚଳିତବର୍ଷ ଦୁର୍ଗାପୂଜା ଦେବଗଡ ଜିଲ୍ଲାରେ ଫିକା ପଡିଥିବାବେଳେ କେବଳ ନିତୀକାନ୍ତି ମଧ୍ୟରେ ମାଆଙ୍କ ଆରାଧନା କରାଯାଉଛି। ଦେବଗଡ଼ ସହରର ମୁଖ୍ୟ ବଜାର, ପ୍ରଧାନପାଟ ରୋଡସ୍ଥିତ ଉତ୍କଳ ଦୁର୍ଗାପୂଜା କମିଟି, ଖପରସାହିସ୍ଥିତ ଜୟଦୁର୍ଗା କ୍ଲବ , ଏନଏଚ ଷ୍ଟୋରସ୍ଥିତ ଫ୍ରେଣ୍ଡସ୍ କ୍ଲବ , ବଳମସ୍ଥିତ ଜାଗୃତି କ୍ଲବ, ରିଆମାଳସ୍ଥିତ ଦୁର୍ଗାମଣ୍ଡପ ଓ ମଠସାହି ସ୍ଥିତ ମନୋରମା କ୍ଲବ ପକ୍ଷରୁ ପ୍ରଶାସନର ନିର୍ଦ୍ଦେଶ ପାଳନ ପୂର୍ବକ କୋଭିଡ ଗାଇଡ ଲାଇନ ଅନୁଯାୟୀ ଦୁର୍ଗାପୂଜା ଆୟୋଜନ କରାଯାଉଛି ।

ମନୋରମା କ୍ଲବ ପକ୍ଷରୁ ସ୍ଥାନୀୟ କନକ ଦୁର୍ଗା ମନ୍ଦିରରେ ଦୁର୍ଗା ପୂଜା ଆୟୋଜନ କରାଯାଇଥିବାବେଳେ ଶନିମନ୍ଦିର ପରିସରରେ , ପ୍ରଧାନପାଟସ୍ଥିତ ମାଆ ପ୍ରଧାନପାଟେଶ୍ୱରୀ , ରାଜବାଟୀ ସ୍ଥିତ ଦୁର୍ଗାମନ୍ଦିର ଓ ଚିକିଣି ଘାଟି ସ୍ଥିତ ଦୁର୍ଗା ମନ୍ଦିରଠାରେ ଦୁର୍ଗାପୂଜା ଆୟୋଜନ କରାଯାଉଛି। କୋଭିଡ ନିୟମ କଡାକଡି ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ କଡା ଦୃଷ୍ଟି ରଖାଯାଇଥିବା ବେଳେ ପୂଜା ମଣ୍ଡପ ଓ ପୀଠ ଗୁଡିକରେ ଜିଲ୍ଲା ପୁଲିସ ପକ୍ଷରୁ ଜଣେ ଲେଖାଏଁ ଅଧିକାରୀଙ୍କ ସହ ଫୋର୍ସ ମୁତୟନ କରା ଯାଇଥିବା ଏସପି ମନୋଜ କୁମାର ମାହାନ୍ତ ସୂଚନା ଦେଇଛନ୍ତି। ଜିଲ୍ଲାରେ କୋଭିଡ କଟକଣା ଯୋଗୁଁ ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ଦୋକାନବଜାର ଖୋଲା ରଖିବ।