ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କ୍ଷେତ୍ରରେ ସଂସ୍କାର ଆଣିବାକୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ କସରତ କରାଯାଉଥିଲେ ହେଁ ନକଲି ଶିକ୍ଷକଙ୍କ ସମସ୍ୟା ବିଭାଗ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏପରିକି ଗତ ୩ମାସ ମାସ ମଧ୍ୟରେ ୩୫ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ିଲେଣି। ପୂର୍ବରୁ ଢେଙ୍କାନାଳ, ବାଲେଶ୍ୱର, ଗଜପତି ଜିଲ୍ଲାରେ ଜାଲ ସାର୍ଟିଫିକେଟ ମାଧ୍ୟମରେ ନିଯୁକ୍ତି ପାଇଥିବା ନକଲି ଶିକ୍ଷକ ଧରାପଡ଼ିବା ପରେ ସୋମବାର କୋରାପୁଟ ଜିଲ୍ଲାରେ ୧୪ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଜାଲ୍ଥିବା ଜଣାପଡ଼ିଛି।
ପ୍ରକାଶଥାଉ କି, ରାଜ୍ୟରେ ଶିକ୍ଷକଙ୍କ ଦକ୍ଷତା ଯାଞ୍ଚ ସମୟରେ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ଜାଲ ସାର୍ଟିଫିକେଟ ମାଧ୍ୟମରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଚେହେରା ସ୍କାନରକୁ ଆସିଥିଲା। ଏହି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପରେ ଅନେକ ଜିଲ୍ଲାରୁ ଗୋଟିଏ ପରେ ଗୋଟିଏ ଅନେକ ନକଲି ଶିକ୍ଷକ ଧରାପଡ଼ିଥିଲେ। କୋରାପୁଟ ଜିଲ୍ଲା ପରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪ଜଣ ନକଲି ଶିକ୍ଷକ ଧରାପଡ଼ିବା ପରେ ବିଭାଗ ଘଟଣାକୁ ଗୁରୁତର ସହ ନେଇଛି।
ଧରାପଡ଼ିଥିବା ନକଲି ଶିକ୍ଷକମାନେ ଦଶମନ୍ତପୁର ବ୍ଲକ, ଡି.ର୍ଗିଲିପୁଟ ସ୍କୁଲ, ଆଦି ବିଭିନ୍ନ ସ୍କୁଲ ଏବଂ ବ୍ଲକରେ ଥିବା ଜଣାପଡ଼ିଛି। ଏପରିକି ଏହି ଜିଲ୍ଲାରେ ଏବେ ୬୫୦ରୁ ଅଧିକ ନକଲି ଶିକ୍ଷକ ଜାଲ ସାର୍ଟିଫିକେଟ ମାଧ୍ୟମରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି। ତେଣୁ ଏଠାରୁ କିଛି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ଲାଗି ବିଭାଗକୁ ପଠାଯାଇଛି। ରିପୋର୍ଟ ମିଳିବା ପରେ ଆଉ କେତେ ନକଲି ଶିକ୍ଷକ ଅଛନ୍ତି ତାହା ସ୍ପଷ୍ଟ ହେବ। ବର୍ଷବର୍ଷ ଧରି ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଏହି ନକଲି ଶିକ୍ଷକମାନେ କାର୍ଯ୍ୟକରି ଆସୁଥିଲେ।
ରାଜ୍ୟରେ ଏପରି ନକଲି ଶିକ୍ଷକଙ୍କ ସମସ୍ୟା ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାଜ୍ୟରେ ସ୍କୁଲ ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଉନ୍ନତ ଭିତ୍ତିଭୂମି ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ଦକ୍ଷତା ଯାଞ୍ଚ ଲାଗି ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ନିଯୁକ୍ତି ସମୟରେ କେଉଁ ଆଧାରରେ ଏମିତି ବ୍ୟତିକ୍ରମ ଘଟିଛି ତା’ର ମଧ୍ୟ ଯାଞ୍ଚ କରାଯିବ। ସେ ସମୟରେ ନିଯୁକ୍ତି ପ୍ରକ୍ରିୟାରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତେବେ ବର୍ତ୍ତମାନ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୧ଲକ୍ଷ ୩୦ହଜାର ୫୧୬ଜଣ ପ୍ରାଥମିକ ଶିକ୍ଷକ (ପ୍ରଥମରୁ ପଞ୍ଚମ ଶ୍ରେଣୀ) ଥିବା ବେଳେ ୬୬ହଜାର ୮୧୦ଜଣ ଉଚ୍ଚପ୍ରାଥମିକ (ଷଷ୍ଠରୁ ଅଷ୍ଟମ ଶ୍ରେଣୀ) ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଖୁବଶୀଘ୍ର ଜିଲ୍ଲାୱାରୀ ସବୁ ଶିକ୍ଷକଙ୍କ ସାର୍ଟିଫିକେଟ୍ ଏବଂ ଆଧାର ନମ୍ବର ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ସ୍କୁଲସ୍ତରରେ ଶିକ୍ଷକଙ୍କ ଯୋଗ୍ୟତା ଏବଂ ଦକ୍ଷତା ଉପରେ ନଜର ଦେବାକୁ ମଧ୍ୟ ସବୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ନକଲି ଶିକ୍ଷକ ଧରାପଡ଼ିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।