ବିପୁଳ ନକଲି ସୁନା ଜବତ, ୩ ଗିରଫ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବେଲପାହାଡ ପୁଲିସ ନକଲି ସୁନା ବିକ୍ରି କରୁଥିବା ଏକ ଗ୍ୟାଙ୍ଗକୁ ସୋମବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ନାଗପୁରର ମନିଲାଲ ପରମାର(୪୫), ଛତିଶଗଡର ନାରାୟଣ ରାଠୋର(୩୩), ଭୋପାଲର ଅମରି ବାଇ(୫୦) ବୋଲି ଜଣା ପଡିଛି। ଅଭିଯୁକ୍ତମାନଙ୍କଠାରୁ ପୁଲିସ ୧୮ ଛୋଟ ଅସଲି ସୁନା ବଲ, ୧୦ଟି ଅସଲି ରୁପା ମୁଦ୍ରା, ୮ଟି ମୋବାଇଲ, ୨୦ ହଜାର ଟଙ୍କା, ୪ଟି ନକଲି ସୁନା ମାଲି, ୩୦ଟି ନକଲି ସୁନା ମୁଦ୍ରା, ୬ଟି ସିମ, ମାଳି ତିଆରି ଯନ୍ତ୍ର ଜବତ କରିଛି।

ସୂଚନା ଅନୁଯାୟୀ, ଗତ ରବିବାର ବେଲପାହାଡ ଷ୍ଟେସନ ନିକଟରେ କେତେଜଣ ଅଜଣା ବ୍ୟକ୍ତି ସୁନା ବିକ୍ରି କରୁଥିବା ପୁଲିସ ସୂଚନା ପାଇଲା। ଖବର ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରି ବେଶ ତନାଘନା ପରେ ଦେବଗଡରୁ ଏହି ଗ୍ୟାଙ୍ଗକୁ ସୋମବାର ଧରିବାରେ ସକ୍ଷମ ହୋଇଥିଲା। ଏନେଇ ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁାମାର ମହାନ୍ତି କହିଛନ୍ତି ନକଲି ସୁନା ବିକ୍ରି କରି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଗ୍ୟାଙ୍ଗକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଠକମାନେ ଘରେ ବିଭିନ୍ନ ଅସୁବିଧା ଥିବାରୁ ସେମାନେ ସୁନା ବିକ୍ରି କରିବା ପାଇଁ ବାଧ୍ୟ ହେଉଥିବା ଲୋକଙ୍କୁ କହୁଥିଲେ। ଏହାସହଲ ପ୍ରଥମେ କିଛି ଅସଲି ସୂନା ଦେଇ ପରୀକ୍ଷା କରିବା ପରେ ଟଙ୍କା ଦିଅନ୍ତୁ ବୋଲି କହୁଥିଲେ। ଲୋକମାନେ ବିଭିନ୍ନ ଜ୍ୱେଲେରୀରୁ ସୁନା ପରୀକ୍ଷା କରାଇ ସାରିଲା ପରେ କିଣିବା ପାଇଁ ରାଜି ହେଉଥିଲେ। ତେବେ ସେହି ସମୟରେ ଅଭିଯୁକ୍ତମାନେ କୌଶଳ କ୍ରମେ ନକଲି ସୁନା ଦେଇ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଠକି ଫେରାର ହୋଇଯାଉଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ବେଲପାହାଡ ଥାନା ଅନ୍ତର୍ଗତ ଅଶୋକ ଚୌଧୁରୀ କିଛି ଅଜଣା ବ୍ୟକ୍ତିଙ୍କ ଠାରୁ ସୁନା କିଣି ୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ୨୦୧୯ ମସିହା ଡିସେମ୍ବର ୧୪ ତାରିଖରେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ କିଛି ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଆସି ସୁନା ରଖି କିଛି ଟଙ୍କା ଧାର ଦେବା ପାଇଁ କହିଥିଲେ। ସେ ସୁନା ଦୋକାନରେ ଉକ୍ତ ସୁନାକୁ ପରୀକ୍ଷା କରାଇବା ପରେ ଅସଲି ସୁନା ହୋଇଥିବାରୁ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ।

କିଛି ଦିନ ପରେ ପୁଣି ଅଭିଯୁକ୍ତମାନେ ତାଙ୍କ ପାଖକୁ ଆସି ବାପାଙ୍କ ଅସ୍ତ୍ରୋପ୍ରଚାର ଅଛି ପୁଣି କିଛି ସୁନା ମାଳି ରଖି ୧ ଲକ୍ଷଟଙ୍କା ଧାର ଦିଅନ୍ତୁ ବୋଲି କହିଥିଲେ। ପୂର୍ବରୁ ଅସଲି ସୁନାମାଳି ପାଇଥିବାରୁ ଅଶୋକ ପରୀକ୍ଷା ନକରି ସୁନା ମାଳି ରଖି ୧ ଲକ୍ଷ ଟଙ୍କା ସେମାନଙ୍କୁ ଦେଇଥିଲେ। ହେଲେ ମାଳି ଦେବା ପରେ ଅଭିଯୁ୍କ୍ତମାନେ ଅଶୋକଙ୍କୁ ଅନେକ ଦିନ ଧରି ଯୋଗାଯୋଗ ନ କରିବାରୁ ସେ ସୁନା ମାଳିକୁ ଯାଂଚ କରିବା ପାଇଁ ଜ୍ୱେଲର୍ସ ପାଖକୁ ନେଇଥିଲେ।

ଜ୍ୱେଲର୍ସ ମାଳିଗୁଡିକ ନକଲି ଅଟେ କହିବା ପରେ ଠକାମିର ଶିକାର ହୋଇଥିବା ଜାଣି ପାରି ସେ ବେଲପାହାଡ ଥାନେରେ ଅଭିଯୋଗ କରିଥିଲେ। ଅଶେକଙ୍କ ଅଭିଯୋଗଗକୁ ଭିତ୍ତି କରି ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ବ୍ରଜରାଜନଗରଙ୍କ ତତ୍ତ୍ୱାବଧାନରେ ବେଲପାହାଡ ଥାନା ଅଧିକାରୀ ରଶ୍ମିତା ବେହେରା, ବ୍ରଜରାଜନଗର ଥାନା ଅଧିକାରୀ, ଏସଆଇ ପିକେ ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଏହି ଠକ ଗ୍ୟାଙ୍ଗକୁ ଧରିଥିଲେ। ତେବେ ୨୦୧୮ ମସିହାରେ ଝାରସୁଗୁଡାର ଏକ କଂଟ୍ରାକ୍ଟରଙ୍କଠାରୁ ମଧ୍ୟ ଏହି ଗ୍ୟାଙ୍ଗ ନକଲି ସୁନା ଦେଇ ୧ ଲକ୍ଷ ୨୫ ହଜାର ଟଙ୍କା ଠକିଥିବା ପୁଲିସ ପକ୍ଷରୁ କୁହାଯାଇଛି।