ଡୁଙ୍ଗରିପାଲି ମୃତ୍ୟୁ ଘଟଣା, ପ୍ରଶାସନିକ ତଦନ୍ତ ଆରମ୍ଭ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ନୁନହାଡ଼ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗରିପାଲି ଗ୍ରାମର କୁମରମଣି ଛତ୍ରିଆ(୮୫) ଘର ଭିତରେ ମରି ପଡ଼ିଥିବାବେଳେ ଗତ ୨୧ ତାରିଖରେ ଘଟଣା ଜଣାପଡ଼ିବା ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥ ସାହୁ ଆଜି ମୃତକଙ୍କ ଘରେ ପହଞ୍ଚି ସମଗ୍ର ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, କୁମରମଣି ଦୀର୍ଘ ଦିନରୁ ରୋଗାକ୍ରାନ୍ତ ହୋଇ ପଡ଼ି ରହିଥିଲେ । ତାଙ୍କର ୨ ପୁଅ ଗଣପତି ଏବଂ ଲାଲବାହାଦୂର ଜଣ ପିଛା ୪୫ ହଜାର ଟଙ୍କା କରି ୭ ଜଣଙ୍କ ପାଇଁ ୩ ଲକ୍ଷ ୧୫ ହଜାର ଟଙ୍କା ଅଗ୍ରୀମ ନେଇ ସପରିବାର ତେଲେଙ୍ଗାନାର ଏକ ଇଟାଭାଟିରେ କାର୍ଯ୍ୟ କରୁଥିଲେ । ତେବେ କୁମରମଣିଙ୍କ ଦେଖାଶୁଣା କରିବା ପାଇଁ ଗଣପତି ନିଜ ସ୍ତ୍ରୀ ଏବଂ ପୁଅକୁ ଗାଁରେ ଛାଡ଼ି ଯାଇଥିଲେ । ଇତିମଧ୍ୟରେ ଡୁଙ୍ଗରିପାଲି ଗ୍ରାମର କଲୋନୀ ପଡ଼ାରେ ନିଜର ଇନ୍ଦିରା ଆବାସ ଯୋଜନା ଘରେ ରହୁଥିବା କୁମରମଣିଙ୍କ ମୃତ୍ୟୁ ହୋଇଥିଲା । ଗଣପତିଙ୍କ ପୁଅ ବୁଦ୍ଧଦେବ ଜେଜେବାପାଙ୍କ ମୃତ୍ୟୁ ଖବର ତା’ ବାପା ଗଣପତିଙ୍କୁ ଦେବା ପରେ ଶବ ସହ ଅପେକ୍ଷା କରି ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ କଲୋନୀର ଅନ୍ୟମାନେ ଯଥାଶୀଘ୍ର ଶବ ସତ୍କାର କରିବାକୁ ବୁଦ୍ଧଦେବକୁ ବାଧ୍ୟ କରିଥିଲେ । ତେବେ କାହା କଥା ନଶୁଣି ଘରେ ତାଲା ପକାଇ ଦେବାକୁ କୁଆଡ଼େ ଗଣପତି ନିଜ ପୁଅ ବୁଦ୍ଧଦେବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ୨୧ ତରିଖ ହାଇଦ୍ରାବାଦ ନିକଟସ୍ଥ ସାଇଗୁଡ଼ାରୁ ଗଣପତି ଘରେ ପହଞ୍ଚିବା ପରେ ଶବ ସତ୍କାର କରାଯାଇଥିଲା । ତଦନ୍ତ ସମୟରେ କୁମରମଣୀଙ୍କ ମାର୍ଚ୍ଚ ମାସର ବାର୍ଦ୍ଧକ୍ୟ ଭତ୍ତା ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଜଣାଯାଇଛି । କୁମରମଣୀଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ଓ ସ୍ୱତନ୍ତ୍ର ଭାବରେ ୩୦ କେଜି ଚାଉଳ ଯୋଗାଇ ଦିଆଯାଇଥିବା ଜଣାଯାଇଛି । ଅନ୍ୟପଟେ ପରିବାର ଅନ୍ୟ ୧୧ଜଣ ସଦସ୍ୟ ଏବେ ମଧ୍ୟ ସାଇଗୁଡ଼ାର ଇଟାଭାଟି ମାଲିକ ମନୋଜ ସେଠଙ୍କ ପାଖରେ ରହିଛନ୍ତି ।