ପାଣିପାଗ ଯୋଗୁଁ ଅଟକିଲା ପକ୍ଷୀ ଗଣନା

ଭୁବନେଶ୍ୱର,୨୫ା୮/ଏନ୍ଏନ୍ଏସ୍: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନରେ ବସବାସ କରୁଥିବା ବନ୍ୟଜନ୍ତୁ ଏବଂ ଆଗନ୍ତୁକ ପକ୍ଷୀମାନଙ୍କ ଉପରେ ବିଶ୍ୱତାପନ ଓ ଜଳବାୟୁର ପ୍ରଭାବ ପଡ଼ିଧିବା ଦେଖାଯାଇଛି । ଫଳରେ ଶୁକ୍ରବାରଠାରୁ ରାଜନଗର ବନବିଭାଗ ପକ୍ଷରୁ ସ୍ଥିରୀକୃତ ହୋଇଥିବା ଦେଶୀୟପକ୍ଷୀ ଗଣନାକୁ ସାମୂହିକ ଭାବେ ସ୍ଥଗିତ ରଖାଯାଇଛି । ଚଳିତମାସ ୨୩ ରୁ ୨୯ ଯାଏ ଏହି ଗଣନା କାର‌୍ୟ୍ୟ ରାଜନଗର ବନବିଭାଗ ପକ୍ଷରୁ କରାଯିବାର ଥିଲା । କିନ୍ତୁ ଅନିୟମିତତା ବର୍ଷା, ଜଳବାୟୁର ପ୍ରଭାବ ଏଠିକାର ଆର୍ଦ୍ରଭୂମୀ ଅସନ୍ତୁଳନ ରହୁଥିବାରୁ ଏଠାରେ ସମାବେଶ ହୋଇଥିବା ହଜାର ହଜାର ଦେଶୀୟପକ୍ଷୀ ଠିକ ସମୟରେ ତାଙ୍କ ପ୍ରଜନନ ପକ୍ରିୟା ଆରମ୍ଭ କରିବାରେ ସଫଳ ହୋଇନାହାନ୍ତି । ଖାଦ୍ୟ ଓ ବାସସ୍ଥାନ ଅଭାବରୁ ଆଗନ୍ତୁକ ପକ୍ଷୀମାନେ ଏଯାଏଁ ବସା ବାନ୍ଧି ପାରିନାହାନ୍ତି, ଯାହାକୁ ନେଇ ପରିବେଶବିତଙ୍କ ମନରେ ଉଦବେଗ ପ୍ରକାଶ ପାଇଛି ।


ପ୍ରକାଶ ଥାଉ କି ପକ୍ଷୀଗଣନା ପାଇଁ ଭିତରକନିକା ରେଞ୍ଜ ଅଫିସର ସୁବ୍ରତ କୁମାର ପାତ୍ର ଓ ଫରେଷ୍ଟର ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ୧୦ଜଣ ବନ କର୍ମଚାରୀଙ୍କୁ ନେଇ ଦୁଇଟି ଟିମ ଗଠନ କରାଯାଇଥିଲା । ପିସିସିଏଫ କାର‌୍ୟ୍ୟାଳୟର କଳ୍ପତରୁ ଜେନା ଏହି ଗଣନାକୁ ଅନୁଧ୍ୟାନ କରିବାକୁ ଡାଙ୍ଗମାଳ ଠାରେ ପହଞ୍ଚିଥିଲେ । ଶୁକ୍ରବାର ଦୁଇଟି ଟିମ ଦେଶୀୟ ପକ୍ଷୀଗଣନା ପାଇଁ ମଠଆଡ଼ିଆରେ ପହଞ୍ଚିଥିଲେ । ମାତ୍ର ଏହି ଟିମ ପହଞ୍ଚିଲା ବେଳକୁ ହଜାର ହଜାର ସଂଖ୍ୟାରେ ବଗ ଓ ଗେଣ୍ଡାଳିଆ ଜାତୀୟ ପକ୍ଷୀ କାଠିକୁଟା ନେଇ ଉଡୁଥିବାର ଓ ବସା ବାନ୍ଧୁଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ । ସେମାନଙ୍କ ପାଖକୁ ଗଲେ ସେମାନେ ଡିଷ୍ଟର୍ବ ହେବାର ସମ୍ଭାବନା ଥିବାରୁ ଏହି ଗଣନାକାରୀ ଟିମ ଦୂରରୁ ସେମାନଙ୍କ ଗତିବିଧି ଲକ୍ଷ୍ୟ କରିଥିଲେ । ସକାଳୁ ସନ୍ଧ୍ୟା ଯାଏ ସେମାନଙ୍କ ଗତିବିଧି ଲକ୍ଷ୍ୟ କରିବା ପରେ ଗଣନା କରି ନପାରି ଫେରିଆସିଥିଲେ । ଏ ସମ୍ପର୍କରେ କନିକା ରେଞ୍ଜର ଏସିଏଫ୍ ସୁବ୍ରତ କୁମାର ପାତ୍ର ଡିଏଫ୍ଓଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି । ବର୍ତ୍ତମାନ ପକ୍ଷୀ ଗଣନା ବନ୍ଦ ରହିଛି । ଦେଶୀୟ ପକ୍ଷୀମାନେ ବସାବାନ୍ଧି ଅଣ୍ଡା ଦେଇସାରିବା ପରେ ପୁନର୍ବାର ଗଣନା କରାଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।