ଦୁବାଇ ପାରା ଆଥଲେଟିକ୍ସ: ୪୦୦ମି. ଫାଇନାଲରେ ଜୟନ୍ତୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁବାଇଠାରେ ଗତ ୭ ତାରିଖଠାରୁ ଆରମ୍ଭ ହୋଇଥିବା ପାରା ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଶାର ପ୍ରତିଭାଶାଳୀ ମହିଳା ଆଥଲେଟ୍ ଜୟନ୍ତୀ ବେହେରା ୪୦୦ ମିଟର ଦୌଡ଼ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଟି-୪୭ ବର୍ଗରେ ଏକମାତ୍ର ପାରା ଆଥଲେଟ୍ ଭାବେ ଅଂଶଗ୍ରହଣ କରିଛନ୍ତି। ଶନିବାର ଅନୁଷ୍ଠିତ ହିଟ୍ସରେ ଜୟନ୍ତୀ ୧ ମିନିଟ୍ ୧:୦୬ ସେକେଣ୍ଡ୍ ସମୟ ନେଇ ୪୦୦ ମିଟର ଦୂରତା ଅତିକ୍ରମ କରିବା ସହ ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟ୍ର ଫାଇନାଲ୍ ରବିବାର ଭାରତୀୟ ସମୟ ରାତି ସାଢ଼େ ୯ଟା ବେଳେ ଅନୁଷ୍ଠିତ ହେବ।

ସେହିପରି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜାଭେଲିନ୍ ଥ୍ରୋୟର୍ ସନ୍ଦୀପ ଚୌଧୁରୀ ସ୍ୱର୍ଣ୍ଣପଦକ ପାଇଛନ୍ତି। ଏହାଛଡ଼ା ସୁମିତ୍ ଅନ୍ତିଲ୍ ରୌପ୍ୟ ପଦକ ପାଇପାରିଛନ୍ତି। ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଏହି ଦୁଇ ପ୍ରତିଯୋଗୀ ଜାଭେଲିନ୍ ଏଫ୍୬୪ ଇଭେଣ୍ଟରେ ଅଂଶଗ୍ରହଣ କରି ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଏଥିସହ ଉଭୟ ପ୍ରତିଯୋଗୀ ଆସନ୍ତା ବର୍ଷ ଟୋକିଓଠାରେ ହେବାକୁ ଥିବା ପାରା ଅଲିମ୍ପିକସ ପାଇଁ ଯୋଗ୍ୟତା ମଧ୍ୟ ପାଇଛନ୍ତି।

ସନ୍ଦୀପ ୬୬.୧୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ନୂଆ ବିଶ୍ୱ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ସେହିପରି ରୌପ୍ୟ ପଦକ ପାଇଥିବା ସୁମିତ୍ ୬୨.୮୮ ମିଟର ଦୂରତା ସହ ନିଜର ବିଶ୍ୱ ରେକର୍ଡ ୬୦.୪୫ ମିଟରକୁ ଭାଙ୍ଗିଥିଲେ। ଏହି ଅବସରରେ ୨୩ ବର୍ଷୀୟ ସନ୍ଦୀପ ଆଗାମୀ ଟୋକିଓ ପାରା ଅଲିମ୍ପିକ୍ସରେ ପଦକ ଜିତିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏଥିସହ ସେ ଏଠାରେ ହାସଲ କରିଥିବା ସଫଳତା ପାଇଁ ନିଜ କୋଚଙ୍କୁ ଶ୍ରେୟ ଦେଇଛନ୍ତି।