ଗାଡ଼ି ଚଢ଼ି ବଜାର ଗଲେ, ଲାଠିମାଡ଼ ଖାଇଲେ

ଭୁବନେଶ୍ୱରରୁ ହଜାରେ ଗାଡ଼ି ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଅମାନିଆଙ୍କୁ ସାବାଡ୍ କରିଛି ପୁଲିସ। ସରକାରୀ ନିୟମଙ୍କୁ ବେଖାତିର କରି ବାଇକ ନେଇ ମାର୍କେଟକୁ ଆସିଥିବା ଗାଡ଼ି ଚାଳକଙ୍କ ଉପରେ ପୁଲିସ ବଳପ୍ରୟୋଗ କରିଛି। ବିନା କାରଣରେ ରାସ୍ତାରେ ବୁଲୁଥିବା ଗାଡ଼ି ଚାଳକଙ୍କୁ ଲାଠି ମାଡ଼ କରିଛି। ଏପରିକି ସେମାନଙ୍କ ଗାଡ଼ିକୁ ମଧ୍ୟ ସିଜ କରାଯାଇଛି। ଆଜି ଗୋଟିଏ ଦିନରେ ପାଖପାଖି ହଜାରେ ଗାଡ଼ିକୁ ପୁଲିସ ଜବତ କରିଛି।

ଦୁଇଦିନ ଅର୍ଥାତ ୪୮ ଘଣ୍ଟାର ସଟ୍ଡାଉନ ପରେ ସୋମବାର ପୂର୍ବଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକନ ଖୋଲିଛି। ଦୋକାନ ଆଗରେ ଗହଳି ନକରି ସାମାଜିକ ଦୂରତା ବଜାଇ ରଖିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କମିଶନରେଟ ପୁଲିସ ମଧ୍ୟ ଏନେଇ ଲୋକଙ୍କୁ ଅବଗତ କରିଥିଲା। ମାର୍କେଟକୁ ପନି-ପରିବା, ଗ୍ରୋସରୀ, ମେଡିସିନ କିମ୍ବା ମାଛ-ମାଂସ ଆଣିବାକୁ ଗଲେ ଚାଲି ଚାଲି ଯିବାକୁ କୁହାଯାଇଥିଲା। ମାର୍କେଟକୁ ଗାଡ଼ି ନେଲେ ତାହାକୁ ସିଜ କରାଯିବ ବୋଲି ପୁୂଲିସ କଡ଼ା ଚେତାବନୀ ଦେଇଥିଲା। ହେଲେ ଲୋକେ ଏହାକୁ ହାଲକା ଭାବେ ଗ୍ରହଣ କରିଥିଲେ। ପୂର୍ବପରି ସକାଳୁ ସକାଳୁ ଗାଡ଼ିମୋଟର ଧରି ରାସ୍ତାକୁ ବାହାରିଥିଲେ। କିଏ ମାର୍କେଟକୁ ଯାଉଥିଲା ତ ଆଉ କିଏ କେଉଁ ବାହାନା କରିଥିଲା ।

ହେଲେ ପୁଲିସ ସେମାନଙ୍କ ବାହାନାକୁ କର୍ଣ୍ଣପାତ କରିନଥିଲା। ସରକାରଙ୍କ ନିର୍ଦ୍ଦେଶ ପରେ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। ଅମାନିଆଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡାଇ ପିଟିଥିଲା। ଏଥିସହିତ ସେମାନଙ୍କ ଗାଡ଼ିକୁ ମଧ୍ୟ ସିଜ କରାଯାଇଥିଲା। ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଅପରାହ୍ଣ ଗୋଟାଏ ସୁଦ୍ଧା ଭୁବନେଶ୍ୱରରୁ ୮୭୪ଟି ଗାଡ଼ି ସିଜ କରାଯାଇଥିଲା। ପରେ ରାତି ପର୍ଯ୍ୟନ୍ତ ପ୍ରାୟ ଏକ ହଜାରରୁ ଅଧିକ ଗାଡ଼ି ଜବତ ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଥାଉ କି, ଗତକାଲି ଭୁବନେଶ୍ୱରରୁ ଗୋଟିଏ ଦିନରେ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ସାମାଜିକ ଦୂରତାକୁ ଜିରୋ-ଟଲେରାନ୍ସ ବୋଲି ଘୋଷଣା କରିଥିଲେ। କରୋନାକୁ ରୋକିବାକୁ ହେଲେ ସାମାଜିକ ଦୂରତା ଏକ ମାତ୍ର ବିକଳ୍ପ , ତେଣୁ ଏଥିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ପରେ ସାମାଜିକ ଦୂରତା ରକ୍ଷା କରୁନଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶ ପରେ ପୁଲିସ ଆଜିଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।