ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ବ୍ଲକକୁ ସମ୍ପୂର୍ଣ ଭାବରେ ମରୁଡ଼ି ଘୋଷଣା କରିବା ପାଇଁ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେଥିପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଝାରସୁଗୁଡ଼ା ବ୍ଲକର ବର୍ଷା ଅଭାବରୁ ବର୍ତ୍ତମାନ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଚାଷୀଙ୍କ ଅନେକ ଜମି ପଡ଼ିଆ ପଡ଼ିଥିବାବେଳେ ଚାଷ ହୋଇଥିବା ଜମିର ଧାନ ଚାଷ ମଧ୍ୟ ନଷ୍ଟ ହେବାକୁ ବସିଥିବାରୁ ଏବେ ଚାଷୀକୁଳ ଚିନ୍ତାରେ ରହିଛନ୍ତି। ତେଣୁ ଚଳିତ ବର୍ଷ ଝାରସୁଗୁଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି। ଏହାସହ ସମସ୍ତ ଋଣ ଛାଡ଼, ବ୍ଲକରେ ଥିବା ସମସ୍ତ ଜଳସେଚନ ଉତ୍ସର ମରାମତି, ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ, ଚାଷୀଙ୍କ ବିଦ୍ୟୁତ ବିଲ ଛାଡ଼, ୧୫ ହଜାର ଲେଖାଏଁ ମରୁଡ଼ି ସହାୟତା ପ୍ରଦାନ, ଆସନ୍ତା ରବି ଫସଲରେ କୃଷକଙ୍କୁ ସାର, ବିହନ ଓ ଔଷଧ ମାଗଣାରେ ଯୋଗାଣ, ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ପେନସନ ଯୋଜନାର ଘୋଷଣା କରାଯାଉ ବୋଲି ଝାରସୁଗୁଡ଼ା ବ୍ଲକର ଚାଷୀମାନେ ଦାବି କରିଛନ୍ତି।