ୱାଲଟିୟର୍ ଡିଆରଏମଙ୍କ ରାୟଗଡା ଗସ୍ତ, ଅଗ୍ନିପଥକୁ ନେଇ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି କଲେ ଆଲୋଚନା

ରାୟଗଡ଼ା,ଏନ୍‌ଏନ୍‌ଏସ୍: ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯିବା ସହ ରେଳ ବିଭାଗର ସମ୍ପତ୍ତିକୁ ଲୋକେ ନଷ୍ଟ କରୁଛନ୍ତି। ଏଣୁ ରେଳ ବିଭାଗ ଦେଶର ସମ୍ପତ୍ତି ହୋଇଥିବା ବେଳେ ଏହାକୁ ନଷ୍ଟ କରନ୍ତୁ ନାହିଁ ବୋଲି ଆଜି ୱାଲଟିୟର୍ ଡିଭିଜନାଲ୍ ମ୍ୟାନେଜର ଅନୁପ ଶତପଥୀ ରାୟଗଡା ଗସ୍ତରେ ଆସି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଦେଶର ବିଭିନ୍ନ ସ୍ଥାନରେ ରେଳରୋକ ଓ ଭଙ୍ଗାରୁଜା କରାଯାଉଥିବା ବେଳେ ଏହି ଡିଭିଜନ ଅଧିନରେ ସେପରି କିଛି ବେଆଇନ କାର୍ଯ୍ୟ ନକରିବାକୁ ସେ ନିବେଦନ କରିଛନ୍ତି। ଏନେଇ ଆଜି ଶ୍ରୀ ଶତପଥୀ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କୁ ସାକ୍ଷତ କରି ଆଇନଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଅନ୍ୟପଟେ ଆଜି ଡିଆରଏମ୍ ଶ୍ରୀ ଶତପଥୀ ରାୟଗଡା ଷ୍ଟେସନ୍ ପରିସରରକୁ ଆବର୍ଜନା ମୁକ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ରେଳ ଦୁର୍ଘଟଣାରୁ ମୁକ୍ତି ପାଇବା ପାଇଁ ଯାତ୍ରୀ ମାନେ ସାବଧାନତାର ସହ ରେଳ ଯାତ୍ରା କରିବାକୁ ସେ ଅନୁରୋଧ କରିଛନ୍ତି।

ସେହିପରି ରାୟଗଡାକୁ ରେଳ ଡିଭିଜନର ମାନ୍ୟତା ମିଳିବା ପରେ ଅନେକ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ବଜେଟ୍ ଅନୁଯାୟୀ କୋଠା ନିର୍ମାଣ ଜାରି ରହିଥିବା ସେ ପ୍ରକାଶ କରିଥିଲେ। ତେବେ ଷ୍ଟେସନ୍ ପରିସରରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଡିଆରଏମ୍ କାର୍ଯ୍ୟାଳୟର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ସେହିପରି ବହୁ ପ୍ରତିକ୍ଷିତ ବିଶାଖାପାଟଣାମ୍-ଟିଟଲାଗଡ ତୃତୀୟ ଲେନର ଅଗ୍ରଗତି ସଂକ୍ରାନ୍ତରେ ସେ ବିଭାଗୀୟ ଅଧିକାରୀଙ୍କ ମତାମତ ଲୋଡିବା ସହ ଆସନ୍ତା ୨୦୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ ଶେଷ ହେବାକୁ ଲକ୍ଷ ରଖାଯାଇଥିବା ଡିଆର୍‌ଏମ୍ ଅନୁପ ଶତପଥୀ ସୂଚନା ଦେଇଛନ୍ତି।