ଗଛରେ ପିଟିହେଲା ଟ୍ରାକ୍ଟର, ଡ୍ରାଇଭରର ମୃତ୍ଯୁ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପବିଙ୍ଗିଆ ପଂଚାୟତ ସାଇତିଙ୍ଗିଆ ନିକଟରେ ଏକ ଟ୍ରାକ୍ଟର ଗଛରେ ପିଟିହେବା ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ସାଇତିଙ୍ଗିଆ ଠାରୁ ମାଗମୁଣ୍ଡା ପଟକୁ ଯାଉଥିବା ଏକ ଟ୍ରାକ୍ଟର ମାଗମୁଣ୍ଡା ଘାଟି ରାସ୍ତାର ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛରେ ବାଡେଇ ହୋଇଯିବା ଫଳରେ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟର ତଳେ ଚାଳକ ଜଣକ ଚାପି ହୋଇ ଯାଇଥିଲେ।

ଖବର ପାଇ ଫିରିଙ୍ଗିଆ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଟ୍ରାକ୍ଟର ତଳେ ଚାପି ହୋଇ ଥିବା ଚାଳକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ଚାଳକଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ ଚାଳକ ଜଣକ ମଗମୁଣ୍ଡା ଗାଁ’ର ଦୁଃଶାସନ କହଁରଙ୍କ ପୁଅ ଅଲେଖ ଚନ୍ଦ୍ର କହଁର ବୋଲି ଜଣାପଡ଼ିଥିବା ବେଳେ ଫିରିଙ୍ଗିଆ ପୁଲିସ ଏହି ଘଟଣାକୁ ନେଇ ୪୦/୨୦୨୨ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ କହିଛନ୍ତି।