ବିଷାକ୍ତ ଚା’ ପିଇ ୧୧ ଗୁରୁତର

ବାଲେଶ୍ୱର,ଏନ୍ଏନ୍ଏସ୍ : ବାଲେଶ୍ୱର ଜିଲ୍ଲା ଭୋଗରାଇର କାନ୍ଥିଭଉଁରୀ ପଞ୍ଚାୟତ ଅଧୀନ ରଣସିଂହପୁର ଗାଁରେ ବୁଧବାର ବିଷାକ୍ତ ଚା’ ପିଇ ୧୧ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ବ୍ୟକ୍ତିମାନେ ହେଲେ, ନାଫରାଇ ଗାଁର ପରେଶ ପ୍ରଧାନ(୪୮), ଶିବଶଙ୍କର ପ୍ରଧାନ(୨୫), ନିମାଇଁ ପ୍ରଧାନ(୧୮), ରାଧାଶ୍ୟାମ ଜେନା(୨୦), ଜୟକୃଷ୍ଣ ଜେନା(୨୨), ତାରାପଦ ସ୍ୱାଇଁ(୪୫), ଚନ୍ଦନ କୁମାର ସେନାପତି(୪୫), ଚକସରବଣୀ ଗାଁର କାଳିଆ ସାମଲ(୧୮), ସୁଲତାନପୁର ଗାଁର ଚନ୍ଦନ ପ୍ରଧାନ(୨୧), ଆକନ୍ଦି ଗାଁର ସଞ୍ଜୟ ପାତ୍ର(୩୬)। ଅସୁସ୍ଥଙ୍କ ମଧ୍ୟରୁ ପରେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରଣସିଂପୁର ଗ୍ରାମର ସନ୍ତୋଷ ପ୍ରଧାନଙ୍କ ପୁଅ ଶିବଶଙ୍କରଙ୍କର ବୁଧବାର ଚତୁର୍ଥୀ ଭୋଜି ଥିଲା। ଏହି ସମୟରେ ପରିବା କଟାରେ ସହାୟତା କରିବା ପାଇଁ ବନ୍ଧୁବାନ୍ଧବ ସାମିଲ ହୋଇଥିଲେ। ଏହି ଭୋଜିରେ ରୋଷେଇ କରିବା ପାଇଁ ପାଖ ଗାଁରୁ ରୋଷେୟାମାନେ ଆସିଥିଲେ। ନାଫରାଇ ଗାଁର ବାସନ୍ତି ଜେନା (୭୦) ଚା’ତିଆରି ଆରମ୍ଭ କରିଥିଲେ। ପ୍ରଥମେ ଚା’ ପକାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଚା’କୁ ଅଧିକ କଡ଼ା କରିବା ପାଇଁ ସେ ଭୁଲବଶତଃ ଘରେ ଥିବା କୀଟନାଶକକୁ ଫୁଟାପାଣିରେ ପକାଇ ଦେଇଥିଲେ। ସେହି ଚା’କୁ ପିଇବା ପରେ ପ୍ରଥମେ ସେମାନଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଫଳରେ ସେମାନେ ଅଚେତ ହୋଇ ପଡ଼ିଥିଲେ।

ଘରର ଅନ୍ୟ ସଦସ୍ୟମାନେ ତୁରନ୍ତ ସେମାନଙ୍କୁ ବାଇକ ଯୋଗେ ଶ୍ରଦ୍ଧାପୁର ପ୍ରାଥମିକ ଚିକିତ୍ସାଳୟକୁ ନେଇ ଆସିଥିଲେ। ମାତ୍ର ସେଠାରେ କୌଣସି ଡାକ୍ତର ନଥିବାରୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କର ଅବସ୍ଥା ନ ସୁଧୁରିବାରୁ ସମସ୍ତଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ। ବର୍ତ୍ତମାନ ସମସ୍ତ ଅସୁସ୍ଥମାନେ ଏଠାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସ୍ୱାଭାବିକ ରହିଛି।