ଦେଢ଼ ଘଣ୍ଟାର ବର୍ଷାରେ କଟକ ସହର ସ୍ଥିତି ବେହାଲ୍ : ଏସସିବି ମେଡିକାଲ ରଞ୍ଜନ ରଶ୍ମି ବିଭାଗ ଓ ସର୍ଜରୀ ୱାର୍ଡ଼ରେ ପଶିଲା ଡ୍ରେନ୍ ପାଣି

କଟକ,ଏନ୍ଏନ୍ଏସ୍: ଗୁରୁବାର ଅପରାହ୍ନରେ ଦେଢ଼ ଘଂଟା ଧରି ପ୍ରବଳ ବର୍ଷାରେ କଟକ ସହରର ସ୍ଥିତି ଅତ୍ୟନ୍ତ ବେହାଲ୍ ହୋଇପଡିଥିଲା । ଅପରାହ୍ନ ୩ଟା ଠାରୁ ସାଢ଼େ ୪ଟା ପର୍ୟ୍ୟନ୍ତ ଏହା ଖୁବ୍ ବର୍ଷି ଥିଲା । ସଂନ୍ଧ୍ୟା ପର୍ୟ୍ୟନ୍ତ ଏଠାରେ ଝିପି ଝିପି ବର୍ଷା ଲାଗି ରହିଥିଲା । ଫଳରେ ସହରର କେତେକ ତଳିଆ ଅଂଚଳରେ ପାଣି ପଶିବା ସହ କଟକ ବଡ ମେଡିକାଲରେ ମଧ୍ୟ ସ୍ଥିତି ଜଟିଳ ହୋଇପଡିଥିଲା । ଏପରିକି ବାଦାମବାଡ଼ି ବସଷ୍ଟାଣ୍ଡ ସମ୍ମୁଖ ଜଳାର୍ଣ୍ଣବ ହୋଇପଡିବାରୁ ଯାତ୍ରୀ ମାନେ ବସଷ୍ଟାଣ୍ଡ ଭିତରକୁ ଯିବା କାଠିକର ପାଠ ହୋଇପଡିଥିଲା ।

ଏସସିବି ମେଡିକାଲର ରଞ୍ଜନ ରଶ୍ମି ବିଭାଗ ଓ ସର୍ଜରୀ ୱାର୍ଡ଼ରେ ଡ୍ରେନ୍ ପାଣି ପଶି ଯାଇଥିଲା । ଏହା ସମ୍ମୁଖ ଦେଇ ଯାଇଥିବା ଡ୍ରେନ୍ ଜାମ୍ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା । ଫଳରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏକ୍ସ-ରେ ପାଇଁ ଆସିଥିବା ରୋଗୀ ମାନେ ଘଂଟା ଘଂଟା ଧରି ଅପେକ୍ଷା କରି ଶେଷରେ ଫେରିଯିବାକୁ ବାଧ୍ୟ ହୋଇଥିଲେ । ଘଟଣା ପାଇଁ ମେଡିକାଲ୍ କର୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଛନ୍ତି କେତେକ ରୋଗୀ ଓ ସେମାନଙ୍କର ଆଟେଣ୍ଡାଂଟ ।