ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିଥିଲେ ହରେକୃଷ୍ଣ ମହତାବ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ଡା. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ସ୍ୱର୍ଗତ ଡା ହରେକୃଷ୍ଣ ମହତାବ ଅଗ୍ରଣୀ ଭୂମିକା ନେଇଥିଲେ ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ତାଙ୍କର ୧୨୦ତମ ଜୟନ୍ତୀ ଅବସରରେ ଆୟୋଜିତ ସ୍ମୃତି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, କ୍ରୀଡା, ରାଜନୀତି, ସିନେମା, ପ୍ରଶାସନ, ସଂସ୍କୃତି ଓ ଅନନ୍ୟ କ୍ଷେତ୍ରରେ ଓଡିଆ ଲୋକମାନେ ନିଜର ଦକ୍ଷତା ପ୍ରକାଶ କରିଛନ୍ତିା ମାତ୍ର ଜଣେ ସଫଳ ବ୍ୟକ୍ତିତ୍ୱ ଓ ବିଚାରଧାରାର ପୃଷ୍ଠପୋଷକ ଥିଲେ ମହତାବ। ସମସ୍ତେ ମହତାବଙ୍କ ସାମାଜିକ ଓ ରାଜନୈତିକ ଆଦର୍ଶରେ ଅନୁପ୍ରାଣିତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଦେଶରେ ୩୭୦ ଧାରା ଉଚ୍ଛେଦ କରାଯାଇ ଭାରତକୁ ଏକତ୍ରୀକରଣ କରାଯାଇପାରିଛି। ତେବେ ସେତେବେଳେ ଯଦି ଡାକ୍ତର ମହତାବ ଓ ସର୍ଦ୍ଦାର ପଟେଲଙ୍କୁ ଜାମ୍ମୁ କାଶ୍ମୀରର ଦାୟିତ୍ୱ ଦିଆଯାଇଥାନ୍ତା ତେବେ ଓଡିଶାର ନୀଳଗିରି ପ୍ରଥମ ଦେଶୀୟ ରାଜ୍ୟ ଭାବେ ଗଡଜାତରେ ମିଶ୍ରଣ ହେବା ଭଳି ଜାମ୍ମୁ କାଶ୍ମୀର ମଧ୍ୟ ଦେଶରେ ସମାହିତ ହୋଇସାରିଥାନ୍ତା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟକୁ ପ୍ରତିଷ୍ଠିତ କରିବାରେ ତଥା, ଭାଷା, ଐତିହ, ସ୍ୱାଭିମାନକୁ ପ୍ରତିଷ୍ଠିତ କରିବାରେ ଡ ମହତାବଙ୍କ ଯୋଗଦାନ ରହିଛି। ସ୍ୱାଧୀନତା ପରେ ଡା ମହତାବ ଓଡିଶାର ମୁଖ୍ୟମନ୍ତ୍ରୀ ୧୦ ବର୍ଷ ପର୍ଯ୍ୟନ୍ତ ହୋଇଥିଲେ ଓଡିଶା ମହାରାଷ୍ଟ୍ର ଭଳି ଗୋଟେ ପ୍ରଗତିଶୀଳ ରାଜ୍ୟ ହୋଇଥାନ୍ତା। ଗଡଜାତ ମିଶ୍ରଣରେ ଡା ମହତାବ ନୀଳଗିରିକୁ ୧ ନମ୍ବର କରେଇଥିଲେ। ତାଙ୍କର ବିଚାରଧାରା ଓ ପରମ୍ପରା ଆଜି ମଧ୍ୟ ବହୁତ ପ୍ରାସିଙ୍ଗିକତା ରଖୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।