ଡବଲ ମର୍ଡର ହତ୍ୟାକାଣ୍ଡ ମାମଲା : ମଙ୍ଗଳବାର ହେବ ନାର୍କୋଟେଷ୍ଟ

କଳ୍ପନାଙ୍କ ଭାଇ, ଭାଉଜ ଓ ବ୍ରଜରାଜନଗର ଅଂଚଳର ଜଣେ ବ୍ୟବସାୟୀଙ୍କୁ ଜେରାକଲା ଛତିଶଗଡ ପୁଲିସ

ଝାରସୁଗୁଡା,ଏନ୍ଏନ୍ଏସ୍ : କଳ୍ପନା ଦାସ ଓ ବବିଲ ଦାସ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ, ବ୍ରେନ ମେଫିଙ୍ଗ ଓ ପୁଣି ୩ ଦିନିଆ ପୁଲିସ ରିମାଣ୍ଡ ପାଇଁ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳାବର ହେବ ବୋଲି ସରକାରୀ ଓକିଲ ଦେବ ପ୍ରକାଶ ପଟେଲ ସୂଚନା ଦେଇଛନ୍ତି। ଗତ ଶନିବାର ସଂଧ୍ୟାରେ ଅନୁପଙ୍କ ପୁଲିସ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରି ଛତିଶଗଡ ପୁଲିସ ପୁଣି ଜେଲ ପଠାଇ ଥିଲା। ଅନୁପ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ତଦନ୍ତରେ ସମ୍ମୁର୍ଣ୍ଣ ସହଯୋଗ କରି ନଥିବାରୁ ଶନିବାର ପୁଲିସ ପକ୍ଷରୁ ନାର୍କୋଟେଷ୍ଟ, ବ୍ରେନ ମେପିଙ୍ଗ ଓ ପୁଣି ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି। ଏହାସହ ଅନୁପଙ୍କ ସମ୍ପର୍କୀୟ, ସହଯୋଗୀ ଓ କଳ୍ପନାଙ୍କ ପରିବାରବର୍ଗଙ୍କୁ ପୁଲିସ ଚକ୍ରଧରନଗର ଥାନକୁ ଡକାଇ ବୟାନ ରେକର୍ଡ କରୁଛି ।

ଶନିବାର କଳ୍ପନାଙ୍କ ଭାଇ ବରୁଣ ଦାସ ଓ ଭାଉଜ ରୀନା ଦାସଙ୍କ ବୟାନ ରେକର୍ଡ କରିଛି। ସେହିପରି ବ୍ରଜରାଜନଗର ଅଂଚଳର ଜଣେ ବ୍ୟବସାୟୀ ରମେଶ ଗନେରବାଲଙ୍କୁ ମଧ୍ୟ ଜେରା କରିଛି। ଅନୁପ ଓ ବର୍ଦ୍ଧନର ବୟାନ, ହତ୍ୟାକାଣ୍ଡର ପ୍ରାଥମିକ ତଦନ୍ତ ତଥା ସେମାନଙ୍କ ସମ୍ପର୍କୀୟ ଓ ସହଯୋଗୀମାନଙ୍କୁ ପଚାରା ଉଚୁରା କଲା ପରେ ମିଳିଥିିବା ତଥ୍ୟ ଆଧାରରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗେଇଛି। ଧୀରେ ଧୀରେ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର, ଗାଡି ଓ ଏଥିରେ ସାମିଲ ଥିବା ଲୋକଙ୍କ ବିଷୟରେ ପୁଲିସକୁ ଅଧିକ ସୂଚନା ମିଳି ପାରୁଛି ବୋଲି ରାୟଗଡ ଏଏସପି ଅଭିଷେକ ବର୍ମା ସୂଚନା ଦେଇଛନ୍ତି। ତେବେ ହତ୍ୟାରେ ବ୍ୟବହୃତ ହୋଇଥିବା ବୋଲେରୋ ଏପର୍ଯ୍ୟନ୍ତ ମିଳିନଥିବା ସେ କହିଛନ୍ତି।