ଡବଲ ମର୍ଡର ଘଟଣା: ଅନୁପଙ୍କ ଡ୍ରାଇଭରକୁ ଉଠାଇ ନେଲା ଛତିଶଗଡ ପୁଲିସ

ଝାରସୁଗୁଡା,ଏନ୍ଏନ୍ଏସ୍: କଳ୍ପନା ଦାସ(୩୨) ଓ ବବଲି ଦାସ(୧୪)ଙ୍କ ନିର୍ମମ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ କୁମାର ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋଙ୍କୁ (ବର୍ଦ୍ଧନ) ଗତକାଲି ରାତି ୧୨ଟା୩୦ରେ ଛତିଶଗଡ ପୁଲିସ ଉଠାଇ ନେଇଛି। ବ୍ରଜରାଜନଗର ଅଂଚଳର ରାଜପୁର ପଂଚାୟତ ବଗରାଚକାସ୍ଥିତ ଭଡାଘରେ ବର୍ମନ ତାଙ୍କ ପରିବାର ଲୋକଙ୍କ ସହ ଶୋଇଥିବା ସମୟରେ ଛତିଶଗଡ ପୁଲିସ ଆସି ତାଙ୍କୁ ଚକ୍ରଧରନଗର ପୁଲିସ ଥାନାକୁ ନେଇଛି। ଚକ୍ରଧରନଗର ଥାନାରେ ବର୍ମନକୁ ରଖି ପଚରା ଉଚୁରା କରୁଛି ବୋଲି ଜଣା ପଡିଛି।

ତେବେ ଏନେଇ ଛତିଶଗଡ ପୁଲିସ କିଛି ସ୍ୱଷ୍ଟ କରି ନଥିଲେ ମଧ୍ୟ ରାୟଗଡ ଏସପି ସନ୍ତୋଷ ସିଂଙ୍କୁ ପଚାରିବାରୁ କହିଛନ୍ତି ହତ୍ୟାକାଣ୍ଡର ତଦନ୍ତ ପାଇଁ ବର୍ମନଙ୍କୁ ନୋଟିସ ଦିଆଯାଇଥିଲା। ପରେ ତାଙ୍କୁ ହତ୍ୟାକାଣ୍ଡ ରେ ଅନୁପ ଓ ତାଙ୍କ ସମ୍ପୃକ୍ତି ତଥା ହତ୍ୟା କରାଯାଇଥିବା ଲୁହା ରଡ ଓ ବୋଲେରୋ ଗାଡି ବିଷରେ ଜାଣିବା ପାଇଁ ଥାନାକୁ ଅଣାଯାଇ ପଚରା ଉଚୁରା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱନୀ କୁମାର ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି ବର୍ମନକୁ ଉଠାଇବା ନେଇ ଛତିଶଗଡ ପୁଲିସ କୌଣସି ସୂଚନା ଦେଇ ନାହାନ୍ତି।

ଅନ୍ୟପଟେ ବର୍ମନଙ୍କ ସ୍ତ୍ରୀ ସୁଭଦ୍ରାଣୀ ଟପ୍ପୋ କହିଛନ୍ତି ସେମାନେ ଶୋଇଥିଲା ସମୟରେ ଛତିଶଗଡର ୬ ଜଣ ପୁଲିସ କର୍ମଚାରୀ ଆସି ତାଙ୍କ ସ୍ୱାମୀଙ୍କୁ ନେଇ ଯାଇଛନ୍ତି। ତେବେ ବର୍ମନ ପୁଲିସ ସହ ଯିବା ସମୟରେ ଏହି ହତ୍ୟା କାଣ୍ଡରେ ତାଙ୍କ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି ହତ୍ୟା ଘଟଣାରେ ଅନ୍ୟ ଏକ ଡ୍ରାଇଭରର ସମ୍ପୃକ୍ତି ରହିଛି ଏବଂ ତାଙ୍କୁ ସେ ଜାଣିଥିବା ପରିବାର ଲୋକଙ୍କୁ କହିଥିଲେ। ଏହାସହ ଛତିଶଗଡ ପୁଲିସକୁ ଏହି ହତ୍ୟା ଘଟଣାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିବା ତାଙ୍କ ସ୍ତ୍ରୀ ସୁଭଦ୍ରାଣୀ କହିଛନ୍ତି।

ସେହିପରି ତାଙ୍କ ଝିଅ ମିନତୀ କହିଛନ୍ତି ତାଙ୍କ ବାପାଙ୍କର କଳ୍ପନା ଦାସ ଓ ବବଲି ଦାସଙ୍କ ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ। ତେଣୁ ତାଙ୍କ ବାପା ଓ ପରିବାର ବର୍ଗ ପୁଲିସ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏହା ପୂର୍ବରୁ ମଧ୍ୟ ପୁଲିସ ତଦନ୍ତ ପାଇଁ ବର୍ମନକୁ ଥାନାକୁ ଡାକିଥିବାବେଳେ ସେ ଚକ୍ରଧରନଗର ଥାନା ଯାଇ ତଦନ୍ତରେ ସହଯୋଗ କରିଥିବା ପରିବାର ଲୋକେ କହିଛନ୍ତି। ବର୍ମନଙ୍କ ଘର ସୁନ୍ଦରଗଡ ଜିଲ୍ଲା ରାଜଗାମପୁରରେ ହୋଇଥିବାବେଳେ ସେ ଦୀର୍ଘ ୯ ବର୍ଷ ହେବ ୨୦୧୧ ମସିହାରୁ ବଗରାଚକାରେ ରହି ଅନୁପ ସାଏଙ୍କ ଡ୍ରାଇଭର ଭାବରେ କାର୍ଯ୍ୟକରୁଥିଲେ। ବର୍ମନଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସୁଭଦ୍ରାଣୀ ଟପ୍ପୋ, ଝିଅ ମିନତୀ ଟପ୍ପୋ ଓ ପୁଅ ଓି୍ୱଲିୟମ ଟପ୍ପୋ ଅଛନ୍ତି। ଝିଅ ମିନତୀ ବିଏସସି ଗ୍ରେଜୁଏଟ ହୋଇଥିବାବେଳେ ପୁଅ ଏସିଷ୍ଟାଂଟ ଫଟୋଗ୍ରାଫର ଭାବରେ କାର୍ଯ୍ୟ କରନ୍ତି।

ପ୍ରକାଶ ଯୋଗ୍ୟ ଯେ, ଛତିଶଗଡର ହମିରପୁର ଜଙ୍ଗଲ ନିକଟରେ ୨୦୧୬ ମେ ୭ ତାରିଖରେ ହୋଇଥିବା ବବଲି ଦାସ ଓ କଳ୍ପନା ଦାସ ହତ୍ୟାକାଣ୍ଡର ପ୍ରାୟ ୪ ବର୍ଷ ପରେ ଶୁକ୍ରବାର ଛତିଶଗଡ ପୁଲିସ ପର୍ଦ୍ଦାଫାସ କରିଥିଲା। ଏହି ଘଟଣାର ମୁଖ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ କୁମାର ସାଏକୁ ଗିରଫ ପରେ କୋର୍ଟରେ ହାଜର କରି ଜେଲ ପଠାଇଛି। ତେବେ ଅନୁପଙ୍କ ଜେରା ସମୟରେ ସେ କହିଛନ୍ତି କଳ୍ପନା ଓ ବବଲିଙ୍କୁ ପ୍ରଥମେ ଲୁହା ରଡ ରେ ମାରିବା ପରେ ଦୁର୍ଘଟଣାର ରୁପ ଦେବା ପାଇଁ ବୋଲେରୋ ତାଙ୍କ ଉପରେ ଚଢାଇ ଦିଆଯାଇଥିଲା।

ଏହାସହ ଏହି ହତ୍ୟାରେ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ ଜଡିତ ଥିବା ସହ ହତ୍ୟା କରାଯାଇଥିବା ଲୁହା ରଡ ଓ ବୋଲେରୋ ଗାଡି ବିଷୟରେ ତାଙ୍କୁ ଜଣା ଅଛି ବୋଲି ଅନୁପ କହିଥଲେ। ଅନୁପଙ୍କ ବୟାନପରେ ଅଧିକ ତଦନ୍ତ ପାଇଁ ପୁଲିସ ବର୍ମନଙ୍କୁ ଚକ୍ରଧରନଗର ଥାନା ନେଇ ପଚରା ଉଚୁରା ଜାରି ରଖିଛି।