ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଧାନ ମଣ୍ଡିରେ ବିଭିନ୍ନ ସମସ୍ୟା ଓ ଅନିୟମିତା ଦେଖାଯାଉଥିବା ବେଳେ ବର୍ତ୍ତମାନ ଚଳିତ ଖରିଫ ଋତୁରେ ଧାନ ବିକ୍ରି କରିଥିବା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପୈଠ କଲାବେଳେ ଦୁଇଥର ଟଙ୍କା ଜମା ହୋଇଯାଇଛି। ବର୍ତ୍ତମାନ ଏହା ବ୍ୟାଙ୍କ କର୍ମଚାରୀ ଓ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି ଅର୍ଥକୁ କିଭଳି ଚାଷୀଙ୍କଠାରୁ ଆଦାୟ କରାଯିବ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ମାଲକାନଗିରି ସଦର ବ୍ଲକ୍ ସହ କୋରୁକୋଣ୍ଡା, କାଲିମେଳା, ମାଥିଲି, ପଡ଼ିଆ ବ୍ଲକରେ।
କୋଟିଏରୁ ଊଦ୍ଧ୍ୱର୍ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟରେ ଦୁଇଥର ଜମା ହୋଇଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଦଳ ଆସି ଚାଷୀମାନଙ୍କର ଦ୍ୱିତୀୟ ଥର ଜମା ହୋଇଥିବା ମାଲକାନଗିରି, ପଡ଼ିଆ, ଏମ୍ଭି-୮୮, କାଲିମେଳା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ମାନଙ୍କରେ ଥିବା ଚାଷୀମାନଙ୍କ ଆକାଉଣ୍ଟକୁ ବ୍ଲକ୍ କରିଛନ୍ତି। ଯେଉଁ ଚାଷୀମାନଙ୍କର ଦୁଇଥର ଟଙ୍କା ଜମା ହୋଇଛି ସେମାନଙ୍କ ମଧ୍ୟରୁ ଅନେକ ଚାଷୀ ସେହି ଟଙ୍କାକୁ ଉଠାଇ ନେଇଥିବା ଜଣାପଡ଼ିଛି।
ତେବେ ଏହି ଟଙ୍କାକୁ ଫେରସ୍ତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ଚାଷୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଥିବା ଜନୈକ ବ୍ୟାଙ୍କ ଅଧିକାରୀ ପ୍ରକାଶ କରଛନ୍ତି। ଏହି ଟଙ୍କା ୧୮ ତାରିଖ ପୂର୍ବରୁ ଜମା କରାଯାଇଥିଲା। ଅଧିକ ଟଙ୍କାକୁ କେତେକ ଲୋକ ଫେରସ୍ତ କରିସାରିଥିବା ବେଳେ ଅନେକ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଫେରସ୍ତ କରିନାହାନ୍ତି। ତେବେ ଯେଉଁମାନେ ଟଙ୍କା ଫେରସ୍ତ କରି ନାହାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।