ଗଞ୍ଜାମରେ ଘରକୁ ଘର ବୁଲି ଆରମ୍ଭ ହେଲା ଥର୍ମାଲ ସ୍କ୍ରିନିଂ, ଜୁନ୍ ୧୨ ସୁଦ୍ଧା ସାରିବାକୁ ଲକ୍ଷ

ଗଞ୍ଜାମ,ଏନ୍ଏନ୍ଏସ୍: କରୋନା ହଟସ୍ପଟ କୁହାଯାଉଥିବା ଗଞ୍ଜାମରେ ଆଜିଠାରୁ ଘର ଘର ବୁଲି ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି। ଏଥିରେ ଜୁନ୍ ୧୨ ସୁଦ୍ଧା ୩.୫ ଲକ୍ଷ ପରିବାରର ଥର୍ମାଲ ସ୍କ୍ରିନିଂ କରାଯିବ। ସୂଚନା ଅନୁସାରେ ଏ ନେଇ ପ୍ରତି ପ୍ରଞ୍ଚାୟତକୁ ୭୦୦ଟି ଘର ଦିଆଯାଇଛି। ସେହିପରି ପ୍ରତ୍ୟେକ ପଞ୍ଚାୟତରେ ଟିମ୍ ପ୍ରସ୍ତୁତ କରାଯିବ। ଯେଉଁଥିରେ ସ୍ଥାନୀୟ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ଘରଘର ବୁଲି ପ୍ରତି ଲୋକଙ୍କର ଥର୍ମାଲ ସ୍କ୍ରିନିଂ କରିବେ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଘର ଘର ବୁଲି ଜଣ ଜଣଙ୍କୁ ଥର୍ମାଲ ସ୍କ୍ରିନିଂ କରିବା ସହିତ ସେମାନଙ୍କ ତଥ୍ୟ ଲେଖି ରଖିବେ।

ତେବେ ଏହି ଥର୍ମାଲ ସ୍କ୍ରିନିଂ ସମୟରେ ଯଦି କୌଣସି ବ୍ୟକ୍ତି ଠାରେ ଲକ୍ଷଣ ଦେଖାଯାଏ ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ରହିଛି। ଏବଂ ସେହି ଦିନରେ ତାଙ୍କ ଘରକୁ ଡାକ୍ତରୀ ଟିମ ଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଯଦି ତାଙ୍କ ଠାରେ କୋଭିଡ ପଜିଟିଭ ଆସେ ତାଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲକୁ ପଠାଯିବ ବୋଲି କୁହାଯାଇଛି।