ଅଚିହ୍ନା ଲୋକଙ୍କୁ ବିଶ୍ୱାସ ନକରି ପୁଲିସ ସହାୟତା ନେବାକୁ ପରାମର୍ଶ

-ହାଇଦ୍ରାବାଦ ଘଟଣା ପରେ ପୁଲିସର ପଶିଲା ଚେତା 

ଭୁବନେଶ୍ୱର: ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ପରେ କମିଶନରେଟ ପୁଲିସ ସଜାଗ ହୋଇଉଠିଛି। ମହିଳା ଓ ଯୁବତୀଙ୍କ ସୁରକ୍ଷା ଲାଗି କମିଶନରେଟ ପୁଲିସ ପରାମର୍ଶ ଜାରି କରିଛି। ଏଥିସହିତ ନିଜକୁ ଅସୁରକ୍ଷିତ ମନେ କଲେ ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିବାକୁ କୁହାଯାଇଛି।

ପୁଲିସ ପକ୍ଷରୁ କୁହାଯାଇଛି, ଯଦି କୌଣସି ସମୟରେ ଜଣେ ମହିଳା ଅସୁବିଧାରେ ପଡିଛି, ତେବେ କେଉଁ ଅପରିଚିତ ତଥା ଅଚିହ୍ନା ଲୋକଙ୍କ ସହାୟତା ନିଅନ୍ତୁ ନାହିଁ। ବିଶେଷ କରି ନିଜ ଆଡୁ ସହାୟତାର ହାତ ବଢାଉଥିବା ଲୋକଙ୍କୁ ଯଥାସମ୍ଭବ ଦୂରେଇ ରୁହନ୍ତି। ସେମାନଙ୍କ ସହ କଥାବାର୍ତ୍ତା ହୁଅନ୍ତୁ ନାହିଁ।

ଯଦି କେଉଁଠି ବିପଦରେ ପଡ଼ନ୍ତି, ତୁରନ୍ତ ଜରୁରୀକାଳୀନ ନମ୍ବର ୧୦୦କୁ ଫୋନ୍ ଲଗାନ୍ତୁ। ଉକ୍ତ ସ୍ଥାନରୁ କୌଣସି ଜନଗହଳି ପୂର୍ଣ୍ଣ ସ୍ଥାନ ଯଥା- ପେଟ୍ରୋଲ ପମ୍ପ, ସପିଙ୍ଗ ମଲ, ବଜାରକୁ ତୁରନ୍ତ ପଳାନ୍ତୁ। ପିସିଆର ଭ୍ୟାନ ନ ପହଞ୍ଚିବା ଯାଏଁ ସେଠାରେ ଅପେକ୍ଷା କରନ୍ତୁ। ବିଶେଷ କରି ରାଜଧାନୀରେ ରହୁଥିବା ମହିଳାଙ୍କୁ ଚିନ୍ତା ନ କରିବା ପାଇଁ ପୁଲିସ କମିଶନର ଆଶ୍ୱସନା ଦେଇଛନ୍ତି।

ଉଲ୍ଲେଖଥାଉ କି, ଗତ ବୁଧବାର ଦିନ ହାଇଦ୍ରାବାଦରେ ଭେଟେନାରି ଡାକ୍ତର ଭାବେ କାର୍ଯ୍ୟରତ ଜଣେ ଯୁବତୀ ରାତିରେ ଘରକୁ ଫେରୁଥିବା ବେଳେ ଏକ ଟୋଲପ୍ଲାଜା ନିକଟରେ ତାଙ୍କ ସ୍କୁଟି ଲିକ ହୋଇଥିଲା। ଏହି ସମୟରେ ଜଣେ ଅଚିହ୍ନା ଯୁବକ ତାଙ୍କୁ ସହାୟତା କରିବାକୁ ଆସିଥିଲା। ପରେ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ଧରାପଡିବା ପରେ ତାଙ୍କୁ ହତ୍ୟା କରି ପୋଡି ଦେଇଥିଲା। ଏହା ଜଣାପଡିବା ପରେ ସମଗ୍ର ତେଲେଙ୍ଗାନାରେ ହଇଚଇ ସୃଷ୍ଟି ହୋଇଛି।