ଓମିକ୍ରନ ପାଇଁ ଭୟଭୀତ ହୁଅନ୍ତୁ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭୂତାଣୁ ପାଇଁ ଭୟଭୀତ ହୁଅନ୍ତୁ ନାହିଁ। ଏହି ଭାଇରସକୁ ଧୈର୍ଯ୍ୟର ସହ ମୁକାବିଲା କରିବା। ଏଥିପାଇଁ ଓଡିଶା ସମେତ ଦେଶର ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବା ସହ ସମସ୍ତେ ମାସ୍କ ପିନ୍ଧିବା ଓ ସରକାରଙ୍କ କୋଭିଡ ନିୟମକୁ ପାଳନ କରିବା ପାଇଁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମାନବଜାତି କୋଭିଡ ମହାମାରୀର ପ୍ରକୋପରୁ ନିଜକୁ ସମ୍ଭାଳି ଆସିଛି। ଜୀବନ ଜୀବିକା ସ୍ବାଭାବିକ ହୋଇଛି। କିନ୍ତୁ ଦେଶର ନାଗରିକମାନେ ଏବେ ବି ମହାମାରୀ ସହ ସଂଘର୍ଷ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ବିଶ୍ବକୁ ନୂଆ ଭାରିଆଣ୍ଟ ଓମିକ୍ରନ ଲୋକଙ୍କୁ ଚିନ୍ତାରେ ପକାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ‘ଭାରିଆଣ୍ଟ ଅଫ କନସନ’ ତଥା ଚିନ୍ତା ଜନକ ଭାରିଆଣ୍ଟ ବୋଲି ବିବେଚନା କରିଛି। ଏଥିପାଇଁ ଚିନ୍ତା ଓ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି। ନୂଆ ଭାରିଆଣ୍ଟ ନେଇ ଅଧିକ ସଜାଗ ରହିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଧର୍ମେନ୍ଦ୍ର କହିଛନ୍ତି ଭାରତ ସରକାର ଏହି ସଂକ୍ରମଣ ଉପରେ ନଜର ରଖିବା ପାଇଁ ମନିଟରିଂ ବୃଦ୍ଧି ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।