ମୃତ ଚାଷୀ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କର : ଆମ୍ ଆଦମି ପାର୍ଟି

ବରଗଡ଼: ଜିଲ୍ଲାରେ ଧାନ ବିକ୍ରି ଏବେ ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ୱରୁ ଓହରି ଯାଉଥିବା ଆମ୍ ଆଦମି ପାର୍ଟି ଅଭିଯୋଗ କରିଛି। ଏହି ସମୟରେ ଧାନ ବିକ୍ରି କରିନପାରି ମାନସିକ ଦୁଶ୍ଚିନ୍ତାରୁ ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାରୁ ପରିବାରଜନଙ୍କୁ ୧୦ଲକ୍ଷ ଟଙ୍କା ସହାୟତା କରିବାକୁ ଜିଲ୍ଲା ଆବାହକ ଦାବି କରିଛନ୍ତି। ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ୨ଲକ୍ଷ ୫୯ହଜାର କୁଇଣ୍ଟାଲ ଧାନ ପଡ଼ି ରହିଥିବାବେଳେ ୧୫ ଦିନ ହେଲା ଚାଷୀ ଆନ୍ଦୋଳନ କରୁଛନ୍ତି। ସମସ୍ତଙ୍କ ଟୋକେନ୍ ଏବେ ଶେଷ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ି ଚାଲିଛି। ଚାଷୀ କ’ଣ କରିବ ଓ ଅପରାଧ କ’ଣ ବୋଲି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଅଭିଯୋଗ କରିଛନ୍ତି। ତୁରନ୍ତ ସମସ୍ତ ଧାନକୁ ସରକାର କିଣନ୍ତୁ ବୋଲି ଆପ କର୍ମକର୍ତ୍ତାମାନେ ଦାବି କରି ଜିଲ୍ଲା ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମହିଳା ସଂଗଠନର ନେତ୍ରୀ ମରିୟମ ବାର୍ଳା, ଛାତ୍ର ନେତା ପୋଲୁସ୍ତ୍ୟ ସାହା, ଅସିତ ସାହୁ, ଆଡ଼ଭୋକେଟ ରମେଶ ପତି ଓ ମମତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।