ଡଲାର ତୁଳନାରେ ଟଙ୍କାର ସର୍ବାଧିକ ଅବମୂଲ୍ୟାୟନ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିର ମାନ୍ଦାବସ୍ଥା ସାଙ୍ଗକୁ ଚୀନ୍ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟିକ ଯୁଦ୍ଧ କ୍ରମଶଃ ତୀବ୍ର ହେବାକୁ ଲାଗିଥିବା ବେଳେ ଏହାର ପ୍ରଭାବ ବିଶ୍ୱର ବହୁ ଷ୍ଟକ୍ ବଜାର ଉପରେ ଅନୁଭୂତ ହୋଇଛି। ବିଶେଷକରି ନିବେଶକାରୀମାନେ ଆତଙ୍କିତ ହୋଇପଡିଥିବାରୁ ପ୍ରମୁଖ ଷ୍ଟକ୍ ବଜାର ପ୍ରଭାବିତ ହୋଇଛି। ଏ ନେଇ ମଙ୍ଗଳବାର ଏସିଆର ବିଭିନ୍ନ ଷ୍ଟକ୍ ବଜାରରେ କାରବାର ହ୍ରାସ ପାଇବା ସହିତ ବିଭିନ୍ନ ମୁଦ୍ରାର ଅବମୂଲ୍ୟାୟନ ଘଟିଥିବା ଜଣାପଡ଼ିଛି।

ଏହିକ୍ରମରେ ଭାରତୀୟ ଷ୍ଟକ୍ ବଜାରରେ ଚଡ଼କ ପଡ଼ିବା ଭଳି ସ୍ଥିତି ଉପୁଜିବା ସହିତ ବିଏସ୍ଇ ପ୍ରମୁଖ ସୂଚକାଙ୍କରେ ୭୭୦ପଏଣ୍ଟ ହ୍ରାସ ଘଟିଛି। ଏଥିସହିତ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟରେ ବିଗତ କିଛି ଦିନ ଧରି କ୍ରମାଗତ ଭାବେ ଘଟି ଆସୁଥିବା ଅବମୂଲ୍ୟାୟନ ଏବେ ସର୍ବୋଚ୍ଚ ସ୍ଥିତିରେ ପହଞ୍ଚିଥିବା କୁହାଯାଇଛି। ମଙ୍ଗଳବାର ଭାରତୀୟ ଷ୍ଟକ୍ କାରବାରରେ ଅନ୍ୟୂନ ୨ ପ୍ରତିଶତ ହ୍ରାସ ଘଟିଥିବା ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବାଧିକ ହ୍ରାସ ପାଇଛି। ଯାହାକି ଚଳିତ ବର୍ଷର ସର୍ବନିମ୍ନ ସ୍ଥିତି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

ବିଶେଷକରି ସାଂପ୍ରତିକ ସ୍ଥିତିକୁ ନେଇ ବିଦେଶୀ ନିବେଶକାରୀମାନେ ବହୁ ପ୍ରମୁଖ କମ୍ପାନୀଗୁଡିକରୁ ପ୍ରାୟ ୨୦୧୬ କୋଟି ଟଙ୍କା ପ୍ରତ୍ୟାହାର କରି ନେବାରୁ ଟଙ୍କା ମୂଲ୍ୟରେ ମଧ୍ୟ ଅବନତି ଘଟିଥିବା ସେମାନେ କହିଛନ୍ତି। ଟଙ୍କା ବ୍ୟତୀତ ବାଣିଜିକ ଯୁଦ୍ଧକୁ ନେଇ ମାଲେସିଆ ମୁଦ୍ରା ରିଙ୍ଗିଟ୍ , ଚୀନ୍ର ୟୁଆନ୍ ଆଦିରେ ମଧ୍ୟ ଦ୍ରୁତ ଅବମୂଲ୍ୟାୟନ ଘଟିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ଅକ୍ଟୋବରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବାଧିକ ଅବମୂଲ୍ୟାୟନ ଘଟିଥିଲା। ଏହି ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୪.୪୮ ରହିଥିଲା। ପରବର୍ତ୍ତୀ ସମୟରେ ଟଙ୍କା ମୂଲ୍ୟରେ ପରିବର୍ତ୍ତନ ଘଟିଥିବା ବେଳେ ସାଂପ୍ରତିକ ମାନ୍ଦାବସ୍ଥାକୁ ନେଇ ଗତ କିଛି ଦିନ ହେଲା ଅବନତି ଦେଖାଯାଇଥିଲା।

ତେବେ ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧୦୦ ପଇସା ହ୍ରାସ ଘଟିବା ସହ ଡଲାର ଟଙ୍କା ବିନିମୟ ସ୍ଥିତି ୭୨.୪ରେ ପହଞ୍ଚିଥିଲା। ଯାହାକି ଚଳିତ ବର୍ଷର ସର୍ବାଧିକ ଅବମୂଲ୍ୟାୟନ ବୋଲି କୁହାଯାଇଛି।