ଶିଶୁପୁତ୍ରର ମୃତଦେହକୁ ଖାଇଲେ କୁକୁର

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହରର ଗୁର୍ଖା ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନବଜାତ ଶିଶୁର ମୃତଦେହକୁ କୁକୁରମାନେ ଟାଣି ଖାଉଥିବାର ଦେଖିବାକୁ ମିଳିଛି। ଦଳେ କୁକୁର ଶିଶୁର ଛାତିରୁ ମୁଣ୍ଡ ପର୍ଯ୍ୟନ୍ତ ଟାଣି ଖାଇ ଦେଇଥିବା ଦେଖିବାକୁ ମିଳିଛି । ତେବେ ଶିଶୁଟିକୁ ମୃତ ବା ଜୀବିତ ଅବସ୍ଥାରେ କିଏ ଓ କାହିଁକି ଗୁର୍ଖା ସାହି ନିକଟରେ ଛାଡି ଚାଲିଗଲା ତାହା ସ୍ପଷ୍ଟ ହୋଇନାହିଁ।

ଆଜି ସକାଳୁ ସାହି ମୁଣ୍ଡରେ କୁକୁରମାନେ ମୃତ ଦେହ ଖାଉଥିବାବେଳେ ମହିଳାମାନେ ଦେଖିଥିଲେ। ପରେ ସ୍ଥାନୀୟ ଲୋକେ କୁକୁରମାନେ କାମୁଡାକାମୁଡ଼ି ହେଉଥିବାର ଦେଖି କୁକୁରଙ୍କୁ ଘଉଡାଇବା ପାଇଁ ଯିବାବେଳେ ଗୋଟେ ଜନ୍ମିତ ଶିଶୁର ମୃତଦେହକୁ କୁକୁରମାନେ ଝୁଣି ଖାଉଥିବାର ଦେଖିବାକୁ ପାଇଥିଲେ । କୁକୁରକୁ ଘଉଡିବା ବେଳେ କୁକୁର ମୃତ ଶିଶୁଟିକୁ ଧରି ସ୍ଥାନୀୟ ଜଙ୍ଗଲକୁ ଚାଲି ଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଏହି ରିପୋର୍ଟ ଲେଖା ସୁଦ୍ଧା ପୁଲିସ ପାଖରେ କାହାର ଶିଶୁର ନିଖୋଜ ଘଟଣା ପହଂଚି ନଥିବା କହିଛନ୍ତି ରାୟଗଡ ଥାନା ଅଧିକାରୀ । ଅନ୍ୟପଟେ ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କୌଣସି ଶିଶୁର ମୃତ୍ୟୁର ସୂଚନା ନଥିବା କହିଛନ୍ତି ସିଡିଏମଓ କିମ୍ବା ଏଡିଏମଓ । ତେବେ ସେହି ମୃତଶିଶୁଟି ଆସିଲା କେଉଁଠୁ, ଶିଶୁର ନାଭିରେ ସରକାରୀ କ୍ଲିପ ଲାଗିଲା କିପରି । ଶିଶୁଟିକୁ ଜୀବିତ ଅବସ୍ଥାରେ କିମ୍ବା ମୃତ ଅବସ୍ଥାରେ ଛାଡିଦେଇ ଗଲେ ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ। ତେବେ ଏ ନେଇ ପୁଲିସ କିମ୍ବା ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।