ଜିଲ୍ଲାରେ ଖାଲିଥିବା ଡାକ୍ତର ପଦବୀ ଶୀଘ୍ର ପୂରଣ ହେଉ: ନରସିଂହ ମିଶ୍ର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ୧୦୦ରୁ ଊର୍ଦ୍ଧ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ତେଣୁ ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରକାର ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦାବି କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବୁବେଳେ ସରକାରଙ୍କ ବୈମାତୃକ ମନୋଭାବର ଶୀକାର ହୋଇ ଆସିଛି। ଜିଲ୍ଲାରେ ବହୁସଂଖ୍ୟକ ଡାକ୍ତର ପଦବୀ ଖାଲି ଥିବାବେଳେ ସରକାର ବଲାଙ୍ଗିର ଜିଲ୍ଲାରୁ ଡାକ୍ତରମାନଙ୍କୁ ଗଞ୍ଜାମ ପଠାଉଛନ୍ତି। କେବିକେ ଭଳି ଅନଗ୍ରସର ଜିଲ୍ଲାର କୌଣସି ବି କର୍ମଚାରୀଙ୍କୁ ଅନ୍ୟ ଜିଲ୍ଲାକୁ ବିନା ରିଲିଭରରେ ନିଆଯାଇ ପାରିବ ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିୟମ ରହିଛି। କିନ୍ତୁ ବଲାଙ୍ଗିର ଜିଲ୍ଲା କ୍ଷେତ୍ରରେ ସରକାର ତା’ର ବାରମ୍ବାର ବ୍ୟତିକ୍ରମ କରୁଛନ୍ତି । ଏନେଇ ପ୍ରଶ୍ନ କଲେ ଉତ୍ତର ମିଳୁଛି ଯେ, ୧୦ରୁ ୧୫ ଦିନ ଭିତରେ ଗଞ୍ଜାମରେ ନିୟୋଜିତ ହୋଇଥିବା ଡାକ୍ତରଙ୍କୁ ଫେରାଇ ଅଣାଯିବ। ତେବେ ଏହି ଅବଧି ମଧ୍ୟରେ ସ୍ୱାସ୍ଥ୍ୟ ସେବା ନପାଇ ଯଦି କେହି ମୃତ୍ୟୁ ମୁଖରେ ପଡ଼ନ୍ତି ତା’ର ଉତ୍ତର ଦାୟିତ୍ୱ କିଏ ନେବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ତେବେ ବଲାଙ୍ଗିରରୁ ଗଞ୍ଜାମ ଯାଇଥିବା ସମସ୍ତ ଡାକ୍ତରଙ୍କୁ ଫେରାଇ ଆଣିବା ସହ ଖାଲି ପଡ଼ିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।