ବାହାରୁ ଔଷଧ ଲେଖି ଡାକ୍ତର ନିଲମ୍ବିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନିରାମୟ ଯୋଜନାରେ ଉପଲବ୍ଧ ଥିବା ଔଷଧକୁ ରୋଗୀଙ୍କୁ ପ୍ରେସ୍କ୍ରାଇବ୍ କରିବା ପାଇଁ ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଜଣେ ଡାକ୍ତର ଶିଶୁରୋଗୀଙ୍କୁ ବାହାରୁ ଔଷଧ କିଣିବା ପାଇଁ ଲେଖିବା ଜଣେ ଶିଶୁରୋଗ ବିଶେଷଜ୍ଞଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସବ୍‍ଡିଭିଜନାଲ ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲଙ୍କୁ ଏଭଳି ଅପରାଧ ଲାଗି ରାଜ୍ୟ ସରକାର ନିଲମ୍ବନ କରିଛନ୍ତି।

ସୂଚନାଅନୁଯାୟୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ବୁଧବାର ବଲାଙ୍ଗିର ଗସ୍ତରେ ଥିବା ସମୟରେ ଡାକ୍ତର ଅଗ୍ରୱାଲ ରୋଗୀଙ୍କୁ ନିରାମୟ ଯୋଜନାରେ ମିଳୁଥିବା ଔଷଧ ବଦଳରେ ଦୋକାନରୁ ଔଷଧ କିଣିବାପାଇଁ ଚିଠା ଲେଖିଥିବା ତାଙ୍କ ନଜରକୁ ଆସିଥିଲା। ବର୍ଷକର ଗୋଟିଏ ଶିଶୁ ଡାଇରିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରୁ ଆସିଥିଲେ।

ତାଙ୍କୁ ଇଞ୍ଜେନକନ ଦେବାପାଇଁ ଡାକ୍ତର ଅଗ୍ରୱାଲ ଲେଖିଥିଲେ। ତେବେ ଡାକ୍ତର ଚିଠାରେ ଲେଖିଥିବା ନେଟ୍‍ଲିମାଇସିନ୍‍ ଓ ଆମିକାସିନ୍‍ ଇଞ୍ଜେକସନ୍ ସେହି ଶିଶୁକୁ ଦିଆଯିବା କଥା ନୁହେଁ। କିନ୍ତୁ ଡାକ୍ତର ଲେଖିଥିବାରୁ ଶିଶୁ ଅଭିଭାବକ ବାଧ୍ୟହୋଇ ବାହାର ଦୋକାନରୁ ଖରିଦ କରିଥିଲେ। ଏଭଳି ଔଷଧ ଲେଖିଥିବା ଅଭିଯୋଗରେ ଡାକ୍ତର ଅଗ୍ରୱାଲଙ୍କୁ ନିଲମ୍ବିତ କରାଯାଇଛି।