ବସ୍ତା ଡାକ୍ତରଖାନାରେ ରୋଗୀକୁ ଚାପୁଡ଼ା ମାରିଲେ ଡାକ୍ତର

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ବସ୍ତା ଡାକ୍ତରଖାନାରେ ଦିନକୁ ଦିନ ବିବାଦର ସୂତ୍ରପାଡ଼ ବଢ଼ିଚାଲିଛି। ଏପରି ସମୟରେ ରୋଗୀଙ୍କୁ ଜଣେ ଡାକ୍ତର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବସ୍ତା ବ୍ଲକ୍ ବନ୍ତୁଳି ଗ୍ରାମର ଅଜିତ ବେହେରାଙ୍କ ପୁଅ ଆୟୁଷ ବେହେରା(୧୬)ଙ୍କ ଛାତିରେ ଅଚାନକ ଯନ୍ତ୍ରଣା ଅନୁଭବ ହୋଇଥିଲା। ଫଳରେ ଘର ଲୋକେ ତାଙ୍କୁ ବସ୍ତା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସା ଆରମ୍ଭ ହୋଇଥିଲା। ଚିକିତ୍ସା ପାଇଁ ଡାକ୍ତର ଅରୁଣ କୁମାର ଭୂୟାଁଙ୍କୁ ତାଙ୍କ ବସାରୁ ଡକାଯାଇଥିଲା।

ଶ୍ରୀ ଭୂୟାଁ ସେଠାକୁ ଆସି ବିରକ୍ତି ପ୍ରକାଶ କରିବା ସହ ଆୟୁଷଙ୍କୁ ୪ ଚାପୁଡ଼ା ମାରିଥିଲେ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଆୟୁଷ ରାଗିଯାଇ ଦେହରୁ ସାଲାଇନ୍ କାଢ଼ି ଡାକ୍ତରଖାନା ବାହାରକୁ ପଳାଇଆସିଥିଲେ। ସେ ଦୀର୍ଘ ସମୟ ସ୍ଥାନୀୟ ଏକ ଗଛମୂଳେ ଶୋଇ ରହିଥିଲେ। ଆୟୁଷଙ୍କ ମାଆ ସଂଗୀତା ଓ ଅଜା ଦେବେନ୍ଦ୍ର ଏ ସମ୍ପର୍କରେ ମେଡ଼ିକାଲ କତ୍ତୃପକ୍ଷ ଡ. ଦେବବ୍ରତ ଜେନାଙ୍କୁ ଅବଗତ କରାଇବା ସହ ଆୟୁଷଙ୍କୁ ବାଲେଶ୍ୱର ଡାକ୍ତରଖାନା ନେଇଥିଲେ।

ଏ ସମ୍ପର୍କରେ ଡାକ୍ତର ଶ୍ରୀ ଭୂୟାଁଙ୍କୁ ପଚାରିବାରେ ସେ ଆୟୁଷଙ୍କୁ ଶାନ୍ତ୍ୱ କରିବା ପାଇଁ କେବଳ ତାଙ୍କ କାନ ମୋଡ଼ିଥିବା ସ୍ୱିକାର କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ବସ୍ତା ଡାକ୍ତରଖାନାର ଡାକ୍ତରମାନେ ରୋଗୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।