ପୁଣି ଫେରିଲେ ଡାକ୍ତର

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ ନୂଆରୂପରେ ନୂତନ ଦେଖିବାକୁ ମଳିଛି। କଂଗ୍ରେସ ନେତା ତଥା ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ ସୁନ୍ଦରଗଡ ଜିଲ୍ଲା ପାଇଁ ନୁହେଁ ସାରା ଓଡିଶା ପାଇଁ ଏକ ପରିଚିତ ନାମ । ସେ ତଳସରା ନିର୍ବାଚନ ମଣ୍ଡଳୀର ତିନି ତିନିଥରର ବିଧାୟକ ହୋଇସାରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ପ୍ରଫୁଲ ପୁଣି ପୂର୍ବ ପେସାକୁ ଫେରିଛନ୍ତି ।

ସୁନ୍ଦରଗଡ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମଏଫ) ତରଫରୁ ଚୁକ୍ତି ଭିତ୍ତିକ ଡାକ୍ତର ନିଯୁକ୍ତି କରୁଥିବା ଜାଣିବା ପରେ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ ପୁଣି ନିଜ ପେଶାକୁ ଆପଣାଇଛନ୍ତି । ତେବେ ଆଜି ତାଙ୍କ ପାଖରେ ବିଧାୟକ ପଦବୀ ନାହିଁ, ହେଲେ ଜାରି ରହିଛି ଜନତାଙ୍କ ସେବା । ଡାକ୍ତର ଭାବେ ନିଜ ଅଞ୍ଚଳର ରୋଗୀଙ୍କୁ ସେବା ଯୋଗାଇବା ପାଇଁ ପୁଣି ଆଗେଇ ଆସିଛନ୍ତି । ନିଯୁକ୍ତି ପାଇବା ପରେ ତଳସରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ମେଡିକାଲ ଅଫିସର ଭାବରେ ଯୋଗଦାନ କରିବା ସହ ରୋଗୀ ସେବା ଆରମ୍ଭ କରିଛନ୍ତି ।

ତଳସରା ଅଞ୍ଚଳରେ ଡାକ୍ତର ନଥିଲେ । ଲୋକଙ୍କ ଅସୁବିଧାକୁ ଅନୁଭବ କରି ପୁଣି ଡାକ୍ତରଖାନା ଫେରିଛନ୍ତି । ପ୍ରତି ସପ୍ତାହରେ ୫ ଦିନ ଆସିବା ସହ ଦିନକୁ ୪ ଘଣ୍ଟା କାମ କରୁଛନ୍ତି । ଅନ୍ୟପଟେ ଆବଶ୍ୟକ ହେଲେ ଆଠ ଘଣ୍ଟା ସମୟ ଦେବି ବୋଲି ସେ କହିଛନ୍ତି । ତେବେ ନୂଆ ଡାକ୍ତରଙ୍କୁ ପାଇ ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିଛନ୍ତି ।