ଆଖିରେ ପକାଇବାକୁ କାନ ଡ୍ରପ୍ ଦେଲେ ଡାକ୍ତର, ଶିଶୁର ଆଖି ନଷ୍ଟ

ଅଭିଯୋଗ ଆଣିଲେ ଅଭିଭାବକ

ନୟାଗଡ଼, ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଏବଂ ନିରାମୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଆଖି ଫୁଟିଯିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଲେ ଅଭିଭାବକ। ଅଭିଯୋଗ ଅନୁସାରେ ଦଶପଲ୍ଲା ବ୍ଲକ୍ ନଛିପୁର ଗାଁ’ର ଚନ୍ଦ୍ରକାନ୍ତ ଗୋଛାୟତ ନାମକ ବ୍ୟକ୍ତିଙ୍କ ୬ବର୍ଷର ଶିଶୁ କନ୍ୟା ରିଙ୍କି ଗୋଛାୟତ ଗତ ସେପ୍ଟେମ୍ବର ୨୮ତାରିଖ ରାତିରେ ହେଡ କ୍ଲିପ୍ ଲଗାଇଥିବା ବେଳେ ତାଙ୍କ ବାମ ଆଖିରେ ଏହା ବାଜି ଯାଇଥିଲା। ଫଳରେ ଆଖିଟି ସମ୍ପୂର୍ଣ୍ଣ ଲାଲ ହୋଇଯାଇଥିଲା।

ପରଦିନ ଚନ୍ଦ୍ରକାନ୍ତ ଝିଅ ରିଙ୍କିକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଚକ୍ଷୁ ଡାକ୍ତର ନଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚକ୍ଷୁ ଡାକ୍ତରଙ୍କୁ ଦେଖାଇବାରୁ ସେ ଏକ ପ୍ରେସକ୍ରିପସନ ଦେବା ସହ ଭୁବନେଶ୍ୱରରେ ଦେଖାଇବାକୁ କହିଥିଲେ। ଫଳରେ ଚନ୍ଦ୍ରକାନ୍ତ ମେଡ଼ିସିନ ଷ୍ଟୋରରୁ ପ୍ରେସକ୍ରିପ୍ସନ ଦେଖାଇ ତାଙ୍କୁ ସାଇରନ ନାମକ ଡ୍ରପ ଦେଇଥିଲେ। ତେବେ ସେ ଏହି ଡ୍ରପଟିକୁ ପ୍ରେସକ୍ରିପ୍ସନ କରିଥିବା ଚକ୍ଷୁ ଡାକ୍ତରଙ୍କୁ ଦେଖାଇବାରୁ ଦିନକୁ ୨ଥର ୪-୫ ଡ୍ରପ୍ ଲେଖାଏଁ ଆଖିରେ ପକାଇବାକୁ ପରାମର୍ଶ ଦେଇଥିଲେ।

ଏହି ଡ୍ରପ ପକାଇବା ଦ୍ୱାରା ରିଙ୍କିଙ୍କ ଆଖି ଫୁଲି ଯିବାରୁ ଚନ୍ଦ୍ରକାନ୍ତ ତାଙ୍କୁ ଭୁବନେଶ୍ୱର ଏଲଭି ପ୍ରସାଦରେ ଦେଖାଇଥିଲେ। ମାତ୍ର ସେଠାରେ ଡାକ୍ତର ଏହି ଡ୍ରପଟି ଆଖିର ନୁହେଁ ବରଂ କାନର ବୋଲି ସୂଚନା ଦେଇଥିଲେ। ତେବେ ରିଙ୍କିଙ୍କ ଆଖି ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି। ଏବଂ ଅପରେସନ କରି ତାଙ୍କ ଆଖିକୁ ସମ୍ପୂର୍ଣ ବାହାର ଯୋଗ୍ୟ କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ସୂଚନା ମିଳିଛି।

ତେବେ ଡାକ୍ତର ଏବଂ ନିରାମୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଜଣେ ନିରୀହ ଶିଶୁର ଏଭଳି କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଏ ନେଇ ସିଡିଏମଓଙ୍କ ମତାମତ ମିଳିପାରି ନାହିଁ ।