ରୋଗୀ ସେବା ଭୁଲି ଡାକ୍ତରଖାନାରେ ମଦ ପିଇଲେ ଡାକ୍ତର: ଭିଡିଓ ଭାଇରାଲ୍‌, କାର୍ଯ୍ୟନୁଷ୍ଠାନ ଦାବି

ଟିଟିଲାଗଡ଼/ସଇଁନ୍ତଲା,ଏନ୍ଏନ୍ଏସ୍: ଟିଟିଲାଗଡ଼ ଡାକ୍ତରଙ୍କ ଅଜବ ଲିଳା। ଡ୍ୟୁଟିରେ ଥିବାବେଳେ ପିଇଲେ ମଦ। ଏହାର ଭିଡିଓ ଏବେ ଭାଇରାଲ ହେଉଛି। ମଦ ପିଉଥିବା ଡାକ୍ତରଙ୍କ ପରିଚୟ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟ ବରିଷ୍ଠ ଶଲ୍ଯ ଚିକିତ୍ସକ କୃଷ୍ଣଚନ୍ଦ୍ର ପାଲ। ଡାକ୍ତର ଜଣଙ୍କ ରୋଗୀ ସେବା ଛାଡ଼ି ସେଠାରେ ଜଣେ ବ୍ୟକ୍ତିଙ୍କ ସହିତ ମଦ ପିଉଥିବାର ଚିତ୍ର ଏହି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ସେ ଡାକ୍ତରଖାନାର ଓପିଡି ପାଖରେ ଥିବା ଏକ ରୁମ୍‌ରେ ବସି ଦେଶୀ ମଦ ପିଉଥିବା ଦେଖିବାକୁ ମିଳିଛି।

ଭିଡିଓରେ କରୁଥିବା ବ୍ୟକ୍ତିଙ୍କ ସହ ଦେଶୀ ମଦ ବିଷୟରେ ଡାକ୍ତର ଆଲୋଚନା କରୁଥିବା ଦେଖାଯାଇଛି। ସୂଚନାଥାଉକି, ପୂର୍ବରୁ ମଧ୍ୟ ଏହି ଡାକ୍ତର ଜଣେ ବ୍ୟକ୍ତିଙ୍କ ଠାରୁ ଚରିତ୍ର ପ୍ରମାଣପତ୍ର କ୍ୟାରେକ୍ଟର ସାର୍ଟିଫିକେଟ୍‌ କରିବା ପାଇଁ ଟଙ୍କା ମାଗୁଥିବା ଭିଡିଓ ଭାଇରାଲ ହେଇଥିଲା। ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ କିଛି ଦିନ ପାଇଁ ଡେପୁଟେସନରେ ପଠାଇଥିଲେ। ଏବିଷୟରେ ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ପିକେ ନାୟକଙ୍କ ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଅନ୍ୟପଟେ ଡାକ୍ତର ପାଲ୍‌ଙ୍କର ଏପରି ବିଶୃଙ୍ଖଳିତ ଆଚରଣ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।