ରୋଗୀଙ୍କୁ ଏକ୍ସପାରୀ ହୋଇଥିବା ସାଲାଇନ୍ ଲଗାଇଲେ ଡାକ୍ତର, ମେଡ଼ିକାଲରେ ଉତ୍ତେଜନା

କପ୍ତିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର ଜଣେ ରୋଗୀଙ୍କୁ ଏକ୍ସପାରୀ ସାଲାଇନ ଲଗାଇଥିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ, ବଡ଼ଖଲାଡ଼ି ପଞ୍ଚାୟତ ଦୁଣ୍ତରିଆ ଗ୍ରାମର ନରେନ୍ଦ୍ର ମହାନ୍ତିଙ୍କୁ ଝାଡ଼ା ହେବାରୁ ପରିବାର ଲୋକେ ତାଙ୍କୁ କପ୍ତିପଦା ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ଆଡମିଟ କରି ସାଲାଇନ ଲଗାଇଥିଲେ।

ତାଙ୍କୁ ଲଗାଯାଇଥିବା ସାଲାଇନଟି ୨୦୧୬ରୁ ଏକ୍ସପାରୀ ହୋଇସାରିଥିବା ବେଳେ ଡାକ୍ତର ଏହାକୁ ନ ଦେଖି ରୋଗୀଙ୍କୁ ଲଗାଇଥିଲେ। ରୋଗିଟି ଏହି ସାଲାଇନର ଅଧାରୁ ଅଧିକ ଭାଗ ନେଇ ସାରିବା ପରେ ପରିବାର ଲୋକେ ଏହା ଏକ୍ସପାରୀ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏହା‌କୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେବା ସହ ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ଦେଇଥିଲେ।

ଏ ସମ୍ପର୍କରେ ଡାକ୍ତର ଉମାକାନ୍ତ ବାସ୍କେଙ୍କୁ ପଚରାଯିବାରୁ ସେ ପ୍ରଥମେ ଏହାକୁ ଅସ୍ୱିକାର କରିଥିଲେ। ମାତ୍ର ପରେ ଦାୟିତ୍ୱରେ ଥିବା ନର୍ସଙ୍କ ଅବହେଳାରୁ ଏମିତି ହୋଇଥିବା ସେ ସଫେଇ ଦେଇଥିଲେ। ଉତ୍ତେଜନା ଖବର ପାଇ କପ୍ତିପଦା ଥାନା ଆଇଆଇସି ରୀନା ବେହେରା ଡାକ୍ତରଖାନାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଡାକ୍ତରଖାନାର ଷ୍ଟୋର୍‌ ଯାଞ୍ଚ ବେଳେ ସେଠାରୁ ଆଉ ୪ଟି ଏକ୍ସପାଏରୀ ସାଲାଇନ୍ ମିଳିଥିଲା। ଏହି ଘଟଣାରେ ଡାକ୍ତରଖ‌ାନା କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।