ଅଯଥା ସିଟିସ୍କାନ କରନ୍ତୁନି- ଏମସ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ଏଜେନ୍ସି: ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଫଳରେ ଲୋକଙ୍କ ମଧ୍ୟରେ କରୋନାକୁ ଭୟ ସୃଷ୍ଟି ହେବାରେ ଲାଗିଛି। ଏଥିରେ ବିଚଳିତ ହୋଇ ଲୋକେ ଭିନ୍ନ ଭିନ୍ନ ପ୍ରକାରର ଉପାୟ ଆପଣଉଛନ୍ତି, ଯାହା ସ୍ୱାସ୍ଥ୍ୟପକ୍ଷେ ବହୁତ ହାନୀକାରକ ବୋଲି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। ଶ୍ରୀ ଗୁଲେରିଆ କହିଛନ୍ତି, ଯେଉଁ ରୋଗୀ ବାରମ୍ବାର ସିଟି ସ୍କାନ୍ କରାଉଛନ୍ତି, ସେମାନେ ନିଜ ଜୀବନକୁ ବିପଦରେ ପକାଉଛନ୍ତି। ସିଟି ସ୍କାନରେ କ୍ୟାନ୍ସର ହେବାର ବିପଦ ବଢିଥାଏ। ଗୋଟିଏ ସିଟି ସ୍କାନ ୩୦୦ ଏକ୍ସରେର ବରାବର ହୋଇଥାଏ, ଏହା ବହୁତ ହାନୀକାରକ ବୋଲି ଏମ୍ସ ନିର୍ଦ୍ଦେଶକ ଡ. ଗୁଲେରିଆ କହିଛନ୍ତି। ସେ କହିଛନ୍ତି, ଯଦି ଆପଣ ପଜିଟିଭ୍ ଏବଂ ଆପଣଙ୍କଠାରେ ହାଲୁକା ଲକ୍ଷଣ ରହିଛି ତେବେ ସିଟି ସ୍କାନର କୌଣସି ଆବଶ୍ୟକତା ନାହିଁ। କରୋନା ପଜିଟିଭ୍ ଓ ନିଃଶ୍ୱାସ ନେବାରେ କୌଣସି ସମସ୍ୟା ହେଉଛି, ଆପଣଙ୍କ ଅମ୍ଳଜାନ ସ୍ତର ଠିକ୍ ଅଛି ଏବଂ ଜ୍ୱର ଅଧିକ ନାହିଁ ତେବେ କଦାପି ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏପରିକି ପଜିଟିଭ୍ ବ୍ୟକ୍ତିଙ୍କୁ ଅଧିକ ଔଷଧ ଖାଇବାର ମଧ୍ୟ ଆବଶ୍ୟକତା ନାହିଁ। କାରଣ ଔଷଧ ବିପରୀତ ପ୍ରଭାବ ପକାଇଥାଏ ଏବଂ ରୋଗୀଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡିଥାଏ।