ନରେନ୍ଦ୍ର ମୋଦୀ ହୁଙ୍କାର ରାଲି ବ୍ଲାଷ୍ଟ: ୪ଙ୍କୁ ଫାଶି ଦଣ୍ଡାଦେଶ

ପାଟନା: ୮ ବର୍ଷ ପୂର୍ବରୁ ବିହାରର ରାଜଧାନୀ ପାଟନାର ଗାନ୍ଧୀ ମଇଦାନରେ ନରେନ୍ଦ୍ର ମୋଦୀଙ୍କ ହୁଙ୍କାର ରାଲିରେ ସିରିଏଲ ବ୍ଲାଷ୍ଟ ହୋଇଥିଲା। ଉକ୍ତ ମାମଲରେ ଆଜି ଏନଆଇଏର ବିଶେଷ ଅଦାଲତ ଫଇସଲା ଶୁଣାଇଛନ୍ତି। କୋର୍ଟ ୪ଜଣ ଆତଙ୍କବାଦୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଥିବାବେଳେ ୨ଜଣଙ୍କୁ ଆଜୀବନ, ୨ଜଣଙ୍କୁ ୧୦ ବର୍ଷ ଓ ଜଣଙ୍କୁ ୭ ବର୍ଷ ଜେଲ ନେଇ ରାୟ ଦେଇଛନ୍ତି। ଆଜି ସମସ୍ତ ୯ ଆତଙ୍କବାଦୀଙ୍କୁ ପାଟନାର ବେଓର ଜେଲରୁ କୋର୍ଟ ଅଣାଯାଇଥିଲା।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୩ ମସିହାରେ ପାଟଣାରେ ହୁଙ୍କାର ରାଲି କରୁଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ। ଗାନ୍ଧୀ ମଇଦାନରେ ହୋଇଥିବା ଏହି ରାଲିରେ ଆତଙ୍କବାଦୀ ବିସ୍ଫୋରଣ କରିଥିଲେ। ୮ଟି ବୋମା ବିସ୍ଫୋରଣ ହେବା ଫଳରେ ୬ଜଣଙ୍କ ମୃତ୍ୟୁ ଓ ୮୫ଜଣ ଆହତ ହୋଇଥିଲେ।