ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ବାତିଲ ହେବ ଲାଇସେନ୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଏଣିକି କେବଳ ଜରିମାନା ସହିତ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏକଥା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସଡ଼କ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏଭଳି ନିର୍ଦ୍ଦେଶ ଦେଇଥିଲେ। ଯାହାକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିସନର ଗତକାଲି ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି। ମୋବାଇଲରେ ଗପିବା ସହ ନାଲିବତୀ ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ପୂର୍ବରୁ ମଦ୍ୟପ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ତା’ ସହ ଗିରଫ କରିବା ପାଇଁ ମଧ୍ୟ ଆଦେଶ ହୋଇଥିଲା। କିନ୍ତୁ ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ ବାତିଲ ହେଉ ନାହିଁ। ସୁପ୍ରିମକୋର୍ଟ କମିଟି ତ୍ରୈମାସିକ ସମୀକ୍ଷା କଲା ବେଳେ ଏହି ପ୍ରମାଣ ପାଇବା ସହ ଘୋର ଉଦବେଗ ପ୍ରକାଶ କରିଛନ୍ତି। ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ କିଭଳି ବାତିଲ ହେବ ସେଦିଗରେ କଡ଼ା ପଦକ୍ଷେପ ନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।