ଦୁର୍ଗାପୂଜାରେ ଡିଜେ ବନ୍ଦ, ୪ଟି ଚୁଙ୍ଗା ବାଜାରେ ହେବ ଭସାଣି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଉ ଶୁଭିବନି ଦୁର୍ଗାପୂଜାରେ ଡିଜେ ସାଉଣ୍ଡ୍। ଚଳିତ ଦୁର୍ଗାପୂଜା ଭସାଣିରେ ଡିଜେ ସାଉଣ୍ଡକୁ ବନ୍ଦ କରିବା ପାଇଁ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ଠାରୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ ଯେପରି ଡିଜେ ନ ବାଜେ ତାହା ଉପରେ ଗୁରୁତ୍ୱ ଦେବ କମିଶନରେଟ୍ ପୁଲିସ।

ପୂର୍ବରୁ ଡିଜେ ସାଉଣ୍ଡକୁ ନେଇ ରାଜଧାନୀବାସୀ ବାରମ୍ବାର ଅଭିଯୋଗ କରିଥିଲେ। ତେଣୁ ଚଳିତ ବର୍ଷ ରାଜଧାନୀର ସମସ୍ତ ପୂଜାମଣ୍ଡପ ସହ ଆଲୋଚନା କରି ଏପରି ନିଷ୍ପତି ନିଆଯାଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ଚଳିତ ବର୍ଷ ପୂଜାରେ ଡିଜେ ସାଉଣ୍ଡ୍ ବଦଳରେ ୪ଟି ଚୁଙ୍ଗା ବାଜା ଓ ୪ଟି ସାଉଣ୍ଡ୍ ବକ୍ସରେ ଭସାଣି ହେବ। ପୂର୍ବରୁ ଦୁର୍ଗା ପୂଜା ଭସାଣିରେ ଡିଜେ ସାଉଣ୍ଡକୁ ନେଇ ପୂଜା ମଣ୍ଡପଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା। ଯାହାଦ୍ୱାରା ପୂଜାକମିଟି ଗୁଡ଼ିକ ମନଇଚ୍ଛା ସାଉଣ୍ଡ୍ ବଢ଼ାଇଦେଉଥିଲେ। ଏଥିରେ ରୋକ୍ ଲଗାଇବାକୁ ଏପରି ନିଷ୍ପତି ନିଆଯାଇଥିବା ପୁଲିସ କମିଶନର କହିଛନ୍ତି।

ଏଥିସହିତ ପୂଜାରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମରେ ଯେପରି ବିଶୃଙ୍ଖଳା ନହୁଏ ସେଥିପାଇଁ ସମସ୍ତ ପୂଜାକମିଟି ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପୂଜାମଣ୍ଡପ ଗୁଡ଼ିକରେ ଅଘଟଣକୁ ଏଡ଼ାଇବା ପାଇଁ ପୂଜା କମିଟି ପକ୍ଷରୁ ସିସିଟିଭି ଲଗାଇବାକୁ ପୁଲିସ ପକ୍ଷରୁ କୁହାଯାଇଛି। ଏହାସହ ପ୍ରତି ପୂଜା ମଣ୍ଡପକୁ ତାଙ୍କ କମିଟିର କେତେକ ଯୁବକଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ମିଳିଛି। ଏହି ଯୁବକମାନଙ୍କୁ ପୁଲିସ ପ୍ରଶିକ୍ଷଣ ଦେବା ସହ ଶାନ୍ତିଶୃଙ୍ଖଳା ପାଇଁ ମଣ୍ଡପ ପାଖରେ ନିୟୋଜିତ କରିବ ବୋଲି ଜଣାପଡ଼ିଛି।