ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟସମିତି ବୈଠକରେ ସୋନିଆ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନେଇ ରାଜନୀତି ସରଗରମ ହୋଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି କି, କରୋନା ଯୋଗୁ ହୋଇଥିବା ଭର୍ଚ୍ଚୁଆଲ ମିଟିଂରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡ଼ିବାକୁ ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିସହିତ ଯଥାଶୀଘ୍ର ନୂଆ ଅଧ୍ୟକ୍ଷ ଚୟନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଦଳର ବରିଷ୍ଠ ନେତା ମନମୋହନ ସିଂ ଓ ଏକେ ଆଣ୍ଟୋନୀ ଅଧ୍ୟକ୍ଷ ପଦରେ ସୋନିଆ ରହିବାକୁ ନେଇ ଜୋର ଦେଇଛନ୍ତି।
ବାସ୍ତବରେ କଂଗ୍ରେସର ନେତୃତ୍ୱ ନେବା ପ୍ରସଙ୍ଗକୁ ନେଇ ଦଳ ଏବେ ଦୁଇ ଭାଗ ହୋଇଯାଇଛି। ରାଜ୍ୟସଭାରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସମେତ ୨୩ ନେତା ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଉକ୍ତ ଚିଠିରେ ଦଳର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଓ ତୃଣମୂଳ ସ୍ତରରେ ସଙ୍ଗଠନରେ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ। ଆଉ ଏହାକୁ କେନ୍ଦ୍ର କରି ସୋନିଆ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଇଚ୍ଛା ଜାହିର କରିଥିଲେ। କିନ୍ତୁ ଉକ୍ତ ପତ୍ର ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ଭୋଗେଲ ଓ ପାର୍ଟିର ଅନେକ ବରିଷ୍ଠ ଓ ଯୁବ ନେତା ସୋନିଆ ଓ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ହେବାକୁ ନେଇ ସମର୍ଥନ କରିଥିଲେ। ଗାନ୍ଧୀ-ନେହେରୁ ପରିବାର ହିଁ ଦଳକୁ ଏକତ୍ରିତ ରଖିପାରିବେ ବୋଲି ସେମାନେ ଜୋର ଦେଇଥିଲେ।
ଅନ୍ୟପଟେ ରାହୁଲ ଗାନ୍ଧୀ ପାର୍ଟିର ନେତୃତ୍ୱ ନେବା ପ୍ରସଙ୍ଗରେ ସୋନିଆଙ୍କୁ ପତ୍ର ଲେଖିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାହୁଲ କହିଛନ୍ତି ଯେ, ଯେତେବେଳେ ପାର୍ଟ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିରୋଧୀଙ୍କ ସହ ମୁକାବିଲା କରୁଥିଲା ଏବଂ ସୋନିଆ ଗାନ୍ଧୀ ଅସୁସ୍ଥ ଥିଲେ ସେତେବେଳେ ଏପରି ପତ୍ର ଲେଖିବା ଉଚିତ ନଥିଲା। ଏଥିସହିତ ଯେଉଁମାନେ ସୋନିଆଙ୍କୁ ଚିଠି ଲେଖିଛନ୍ତି ସେମାନେ ବିଜେପି ସହ ହାତ ମିଳାଇଛନ୍ତି ବୋଲି ରାହୁଲ ଆରୋପ ଲଗାଇଛନ୍ତି। ରାହୁଲଙ୍କ ଏପରି ମନ୍ତବ୍ୟ ପରେ ଦଳରେ ଏକପ୍ରକାର ଝଡ଼ ସୃଷ୍ଟି ହୋଇଛି।