ସମ୍ବିଦ ପାତ୍ରଙ୍କ ଗିରଫ ଦାବି କଲା ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ

ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିଦ ପାତ୍ରଙ୍କୁ ଗିରଫ ଦାବି ହୋଇଛି। ଏନେଇ ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ପ୍ରେମ ପ୍ରକାଶ ମିଶ୍ର ଓ କମିଟିର ସଦସ୍ୟମାନେ ବଲାଙ୍ଗିର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ଅନୁଯାୟୀ, ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମର ଏକ ଆଲୋଚନା ଚକ୍ରରେ ସମ୍ବିଦ ପାତ୍ର ଭାରତୀୟ ଜାତୀୟ କଂଗ୍ରେସଙ୍କ ପ୍ରବକ୍ତା ରାଜୀବ ତ୍ୟାଗିଙ୍କ ଉଦ୍ଦେଶ୍ୟରେ ଅପମାନ ସୂଚକ ମନ୍ତବ୍ୟ ଦେଇଥିବାରୁ ପ୍ରବକ୍ତା ରାଜୀବ ତ୍ୟାଗିଙ୍କ ମୃତ୍ୟୁ ଘଟିଛି। ତେଣୁ ସମ୍ବିଦ ପାତ୍ରଙ୍କ ବିରୋଧରେ ଭାରତୀୟ ପିଙ୍ଗଲ କୋର୍ଡର ଧାରା ୩୦୪ ଅନୁସାରେ ହତ୍ୟା ମାମଲା ରୁଜୁ କରାଯାଇ ଗିରଫ କରାଯାଉ।

ସୂଚନା ଅନୁସାରେ ଗତ ୧୨ ତାରିଖରେ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମର ଏକ ଆଲୋଚନାଚକ୍ରରେ ସ୍ୱର୍ଗତ ରାଜୀବ ତ୍ୟାଗି ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ପକ୍ଷରୁ ସମ୍ବିତ ପାତ୍ର ଯୋଗଦେଇଥିଲେ। ଏଥିରେ ଅନ୍ୟ ଆଲୋଚକ ହିସାବରେ ସଂଗୀତ ରାଗୀ, ସୋହେବ ଜମାଇ ଓ ଅତିକଉର ରହମାନ ପ୍ରମୁଖ ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଲୋଚନା ସମୟରେ ସମ୍ବିତ ପାତ୍ର ବାରମ୍ବାର ରାଜୀବ ତ୍ୟାଗିଙ୍କୁ ଅପମାନ ସୂଚକ ଶବ୍ଦ ପ୍ରୟୋଗ ସହ ର୍ଦୁବ୍ୟହାର ପୂର୍ଣ୍ଣ କଥା କହିଥିଲେ। ଏପରିକି ସେ ରାଜୀବ ତ୍ୟାଗିଙ୍କୁ ଜୟଚାନ୍ଦ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ। କେବଳ ମୁଣ୍ଡରେ ଟିକା ଲଗାଇ ତ୍ୟାଗି ହିନ୍ଦୁ ହୋଇପାରିବେ ନାହିଁ କହି ଧର୍ମୀୟ ଭାବନାକୁ ଆଘାତ ଦେଇଥିଲେ।

ଏହାକୁନେଇ ଶ୍ରୀ ତ୍ୟାଗି ଅତ୍ୟଧିକ ମାନସିକ ଚାପଗ୍ରସ୍ତ ହୋଇଥିଲେ। ଏପରି ଆଲୋଚନା ସମୟରେ ଖରାପ ଶବ୍ଦ ପ୍ରୟୋଗକୁ ଆଜତକର ଆଙ୍କର ମଧ୍ୟ ବାରଣ କରି ନଥିଲେ। ଏହି ସମୟରେ ହିଁ ସେ ଅଧିକ ମାନସିକ ଚାପଗ୍ରସ୍ତ ହୋଇ ହୃଦଘାତରେ ପଡିଥିଲେ ଏବଂ ପରେ ପରେ ଘରକୁ ଯିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି କାର୍ଯ୍ୟକ୍ରମର ସିଧାପ୍ରଶାସର ହୋଇଥିବାରୁ ଏହାକୁ ଭିତ୍ତି କରି ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ଧାରା-୩୦୪(ଏ), ୧୫୩ (ଏ), ୧୯୯୮ ଓ ୫୦୫ ଭାରତୀୟ ପିଙ୍ଗଲ କୋର୍ଡ ୧୮୬୦ ଅନୁଯାୟୀ ହତ୍ୟା ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରାଯିବାକୁ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ଦାବି କରିଛି।