ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଓ କ୍ଷେତ୍ର ଗୁଡ଼ିକରେ ନିଯୁକ୍ତ ମହିଳା କର୍ମଚାରୀଙ୍କ ସୁରକ୍ଷା ପ୍ରତି ସଂସ୍ଥାଗୁଡ଼ିକ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି । ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଦାବୀପତ୍ର ଏସପିଙ୍କ ଅନୁପସ୍ଥିତିରେ ଏସଡିପିଓ ଅନିଲ କୁମାର ବେଉରିଆଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଜିଲ୍ଲାରେ କାର୍ଯ୍ୟରତ ଅନେକ ମହିଳା ଟଙ୍କା ସଂଗ୍ରହ ପାଇଁ ବିପଦପୂର୍ଣ୍ଣ ଅଞ୍ଚଳକୁ ଯିବାସହ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରି ରାତିରେ ଏକୁଟିଆ ଫେରୁଥିବା କାରଣରୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି । ଏହାସହ ବିଗତ ଦିନରେ ଦେବଗଡ଼ ସହର ମଧ୍ୟରେ ଥିବା ପ୍ରଧାନପାଟ ରୋଡ଼ ଓ ଜିଲ୍ଲାପାଳଙ୍କ ବାସଭବନ ଅନତି ଦୂରରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ରାତି ୧୧ଟା ସମୟରେ ଫାଇନାନ୍ସ କାର୍ଯ୍ୟାଳୟ ସମ୍ମୁଖରେ ଗଳା କାଟି ହତ୍ୟା ଘଟଣା ଜ୍ୱଳନ୍ତ ନମୁନା ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ପରିବାର ପ୍ରତିପୋଷଣ ପାଇଁ ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ମହିଳାଙ୍କୁ ଅନୁଷ୍ଠାନ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ସମଠାରୁ ଢେର ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଉଥିବାବେଳେ ପରିସ୍ଥିତିରେ ପଡ଼ି ମହିଳାମାନେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଥିବା ଦର୍ଶାଇଛନ୍ତି । ତେଣୁ ଜିଲ୍ଲାର ବିଭିନ୍ନ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କୁ ସରକାରଙ୍କ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରୁ ଅଧିକ ସମୟ କାର୍ଯ୍ୟ କରାଉଥିବା ଅନୁଷ୍ଠାନଗୁଡ଼ିକୁ ତାଗିଦ କରିବା ସହ ନିୟମ ଖିଲାପକାରୀ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଛି । ସେହିପରି ମହିଳା ଫାଇନାନ୍ସ କର୍ମଚାରୀ ରିତା ସାହୁ ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବୀ ହୋଇଛି ।