ଦେବଗଡ଼,ଏନ୍ଏନ୍ଏସ୍: ମିଶନ ଶକ୍ତି ବିଭାଗ ପକ୍ଷରୁ ବାରକୋଟ ବ୍ଲକରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ଗୃହ ପ୍ରାଙ୍ଗଣରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମିଶନ ଶକ୍ତି ଓ ମହିଳା ଶିଶୁ ବିଭାଗ ମନ୍ତ୍ରୀ ବାସନ୍ତୀ ହେମରାମ୍ବ ଯୋଗ ଦେଇଥିଲେ । ଏହି ଅବସରରେ ବାରକୋଟ ବ୍ଲକର ୨୫୭ ଏସଏଚଜିଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୮ କୋଟି ୩୬ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ପୂର୍ବାହ୍ନରେ ଆୟୋଜିତ ଋଣ ମେଳା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ବାରକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ସୋଏ,ଏଲଡିଏମ ରବୀନ୍ଦ୍ର କୁମାର ମହାନ୍ତି ଓ ମିଶନ ଶକ୍ତିର ଜିଲ୍ଲା ପରିଚାଳିକା ସ୍ମରଣିକା ମହାପାତ୍ର ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଏସଏଚଜି ମହିଳାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଋଣର ସଦବିନିଯୋଗ କରି ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ସହ ରାଜ୍ୟର ଆର୍ଥିକ ବିକାଶରେ ସହଯୋଗ ପାଇଁ ଆହ୍ୱାନ ଦେଇଥିଲେ । ଚଳିତ ବର୍ଷ ଦେବଗଡ଼ ଜିଲ୍ଲାରେ ଥିବା ୩ଟି ବ୍ଲକର ମୋଟ ୬୭୫ ଏସଏଚଜି ଗ୍ରୁପକୁ ମିଶନ ଶକ୍ତି ବିଭାଗ ବିଭିନ୍ନ ବ୍ୟାଙ୍କ ଜରିଆରେ ୨୪ କୋଟି ୫୩ ଲକ୍ଷ ଟଙ୍କା ଋଣ ଯୋଗାଇଛି । ସେଥିମଧ୍ୟରୁ ବାରକୋଟ ବ୍ଲକର ୨୫୭ ମହିଳା ଏସଏଚଜିକୁ ୮ କୋଟି ୩୬ ଲକ୍ଷ ଟଙ୍କା, ରିଆମାଳ ବ୍ଲକର ୨୨୦ ଏସଏଚଜି ଗ୍ରୁପକୁ ୮ କୋଟି ୩୯ ଲକ୍ଷ ଟଙ୍କା ଓ ତିଳେଇବଣି ବ୍ଲକର ୧୯୮ ଏସଏଚଜି ଗ୍ରୁପକୁ ୭ କୋଟି ୭୮ ଲକ୍ଷ ଟଙ୍କା ଋଣ ଯୋଗାଇ ଦିଆଯାଇଛି । ଏସଏଚଜି ଗ୍ରୁପଙ୍କୁ ଯୋଗାଇ ଦିଆଯାଇଥିବା ଏହି ଋଣ ସହାୟତା ଆଗାମୀ ଦିନରେ ସେମାନଙ୍କ ବିକାଶରେ ନୂଆ ଫର୍ଦ ଯୋଡ଼ିବ ବୋଲି ମିଶନ ଶକ୍ତି ବିଭାଗ ପକ୍ଷରୁ ଆଶା କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ଗ୍ରହଣ କରିଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।