ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଟେବଲ ଟପ କର୍ମଶାଳା

ବଲାଙ୍ଗିର,ଏନ୍ଏନ୍ଏସ୍‌: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଟେବଲ ଟପ୍‌ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ମରୁଡିର ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ଓ ପ୍ରସ୍ତୁତ ହୋଇ ରହିବା ସହ ସମସ୍ତ ବିଭାଗ ଉତ୍ତମ ସମନ୍ଵୟ ରଖି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ପରାମର୍ଶ ଦେଇ ଥିଲେ।

ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ନିଜ ନିଜ ବିଭାଗର ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ସୁପରିଚାଳନ। ପାଇଁ ଜିଲ୍ଲା ସ୍ତରରେ ପ୍ରାକ ପ୍ରସ୍ତୁତି ତଥା ବିପର୍ଯ୍ୟୟକାଳୀନ ଓ ବିପର୍ଯ୍ୟୟ ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ ସମ୍ଭାବ୍ୟ ମରୁଡି ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହି କିଭଳି ଭାବରେ କ୍ଷୟକ୍ଷତି କମାଇ ପାରିବେ ଏବଂ ସଠିକ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରି ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଓ ଜଳସେଚନ ବିଭାଗ ଜିଲ୍ଲାର ସମ୍ଭାବ୍ୟ ମରୁଡି ମୁକାବିଲା ଉପରେ ତାଙ୍କ ବିଭାଗର ଭୂମିକା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ।

ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ରୀନା କୁମାରୀ ନାଏକ ବିପର୍ଯ୍ୟୟ ପରିଚାଳନା ପାଇଁ ଟେବଲ ଟପ୍‌ କର୍ମଶାଳାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏହି ଟେବଲ ଟପ୍‌ କର୍ମଶାଳାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ସିଂ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ ତଥା ଅଗ୍ନିଶମ, ପୁଲିସ ଓ ଓଡ୍ରାଫର କର୍ମଚାରୀ ମାନେ ଯୋଗଦାନ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କର ଭୂମିକା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।