ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା “ଉତ୍ସାହ’ କାର୍ଯ୍ୟକ୍ରମ ପାପଡ଼ାହାଣ୍ଡି ବ୍ଲକର ଲାଲବାହାଦୁର ଉଚ୍ଚବିଦ୍ୟାଳୟର ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଓ ପାପଡ଼ାହାଣ୍ଡି ବିଡିଓ ଦୁର୍ଯେ।।ଧନ ଭୋଇ ମିଳିତ ଭାବେ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲାରେ ଥିବା ୬ଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଉତ୍କଳ ବାଳିକା ଆଶ୍ରମ, ଉତ୍କଳ ବାଳକ ଆଶ୍ରମ, ଉତ୍କଳ ମାର୍ଥମା, ଆଗାପି ଚିଲେଡ୍ରେନ ହୋମ, ବ୍ଲେଶିଙ୍ଗ ଚିଲେଡ୍ରେନ ହୋମ ଓ ରାଇରାମଦାସ ଚିଲେଡ୍ରେନ ହୋମର ୨୦୦ରୁ ଊର୍ଦ୍ଧ୍ୱ କିଶୋର କିଶୋରୀ ଅନ୍ତୋବାସୀମାନେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଭାତ ପଟ୍ଟନାୟକଙ୍କ ତତ୍ୱାବଧାନରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚଡିଆଁ, କ୍ୟାରମ, ଚେସ ଓ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । ଲିଗାଲ ପ୍ରୋବେଶନଅଫିସର କିଶୋର ମାର୍ଥାଙ୍କ ପୌରହିତ୍ୟରେ ଏହି ‘ଉତ୍ସାହ’ କାର୍ଯ୍ୟକ୍ରମ ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଅନ୍ତୋବାସୀଙ୍କ ଉତ୍ତୋରତର କାମନା କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥିଭାବେ ଯୋଗଦେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଜିଲ୍ଲା କ୍ରୀଡ଼ା ଅଧିକାରୀ ବିନୟ କୁମାର ଖାଡ଼ଙ୍ଗା , ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଅଜନ୍ତା ଶୁଭଦର୍ଶନୀ, ଶିଶୁ ମଙ୍ଗଳ କମିଟିର ସଭ୍ୟ ସନ୍ତୋଷ ଷଢ଼ଙ୍ଗୀ, ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକୀର ଚରଣ ରାଉତ ଓ ଅରୁଣା ସଂଯୋଜିକା ପ୍ରଭାସିନୀ ପଟ୍ଟନାୟକ ପ୍ରମୁଖ ଅତିଥିମାନେ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କିଶାନ ପଟ୍ଟନାୟକ, ସ୍ୱାତିଶ୍ରୀ ପଟ୍ଟନାୟକ, ସମରେନ୍ଦ୍ର ପରିଡ଼ା, ମହେନ୍ଦ୍ର ଚାଲାଣ, ପୂର୍ଣ୍ଣଚନ୍ଦ୍ର ରାହି ଓ ଜିଲ୍ଲାର ୧୦ଜଣ କ୍ରୀଡ଼ା ଶିକ୍ଷକ ଉପସ୍ଥିତ ରହି ଏହି କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନ ଯତ୍ନ ଅଧିକାରୀ କୁନିମଣି ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।