ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଶିକ୍ଷା ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ମୁଖ୍ୟବକ୍ତା ଭାବେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡା. ସୁଜିତ କୁମାର ନାଥ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ବିନୋଦ ସିଂ ଓ ଶକୁନ୍ତଳା ଟେଟେ ମଞ୍ଚାସୀନ ରହି ଜିଲ୍ଲାର କୁନି ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ସହ ସମାଜର ଗଠନ ଓ ଉନ୍ନତିରେ ବୈଜ୍ଞାନିକଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ଅତିଥିବୃନ୍ଦ ଫିତା କାଟି ଆନୁଷ୍ଠାନିକ ଭାବେ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଜିଲ୍ଲାର ୩ଟି ବ୍ଲକରୁ ୩୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରଦର୍ଶନୀରେ କୁନି ବୈଜ୍ଞାନିକଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତିଲେଇବଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଲିଟିନ ସାହୁ, କଂସର ସରକାରୀ ବିଦ୍ୟାଳୟର ଛାତ୍ରୀ ଲିପ୍ସା ପ୍ରଧାନ, ବାବୁରୀକାନୀ ପିୟୁପିଏସର ଛାତ୍ରୀ ସୁଚିସ୍ମିତା ନାୟକ, ତିଲେଇବଣୀ ଆଦର୍ଶ ବିଦ୍ୟାଳୟର ଛାତ୍ରୀ କଲ୍ୟାଣି ପଦ୍ମଜା ଆଚାର୍ଯ୍ୟ , ବାରକୋଟ ଆଦର୍ଶ ବିଦ୍ୟାଳୟର ଛାତ୍ର କ୍ରୀଷ୍ଣା ସାହୁ ଓ କଣ୍ଢଳ ନୋଡାଲ ହାଇସ୍କୁଲର ଛାତ୍ରୀ ଜ୍ୟୋର୍ତିମୟୀ ସାହୁଙ୍କ ପ୍ରକଳ୍ପ ରାଜ୍ୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳାରେ ପ୍ରଦର୍ଶନୀରେ ଅଂଶ ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡ଼ିଛି ।