ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ମହାବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୂର୍ବାହ୍ନରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୁ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ନିରୀକ୍ଷକ ନିରଞ୍ଜନ ଖମାରି, ତିଳେଇବଣି ପିଏଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟାରାଣୀ ମାଝୀ, ମଣ୍ଡଳ ଶିକ୍ଷା ନିରୀକ୍ଷିକା ପାନମଣି ମୁର୍ମୁ ଓ ଦେବଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ସୁଦାମ ପରିଡ଼ା ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳର କିଶୋର କିଶୋରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ପ୍ରକାଶ କରିବାକୁ ସର୍ଗିଫୁଲ ଏକ ଉତ୍କୃଷ୍ଟ ମଞ୍ଚ ବୋଲି ମଞ୍ଚାସିନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ମଙ୍ଗଳ ବିଭାଗ ଅଧିନସ୍ଥ ସମସ୍ତ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଗୀତ, ନୃତ୍ୟ, କ୍ରୀଡ଼ା ଓ ଚିତ୍ରାଙ୍କନ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବାସହ ବିଜ୍ଞାନ ମେଳା ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କରାଯିବା ସହ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ ଧନ୍ୟବାଦ ଦେଇଥିଲେ ।