ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରେସ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ଆଲୋଚନା ପାଇଁ ଦିଆଯାଇଥିବା ବିଷୟ ବସ୍ତୁ “କୃତ୍ରିମ ବୁଦ୍ଧିମତ୍ତା ଯୁଗର ଗଣମାଧ୍ୟମ’ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଡା. ମିଶ୍ର ଜାତୀୟ ପ୍ରେସ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ନିରପେକ୍ଷ, ମୂଲ୍ୟବୋଧ, ତଥ୍ୟଭିତ୍ତିକ ଓ ଗଠନମୂଳକ ସମ୍ବାଦ ପରିବେଷଣ ଉପରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ସମାଜର ହିତ ପାଇଁ ଗଣମାଧ୍ୟମର ଭୂମିକା ଯୁଗୋପଯୋଗୀ ହେବା ଉଚିତ୍ ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଭାଗ ଅଧିକାରୀ ବିଶ୍ୱରଞ୍ଜନ ଭୁକ୍ତା, ଡା. ରାଧାନାଥ ବେହେରା, ବକ୍ତାଭାବେ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ଜୟପୁର, ନରେନ୍ଦ୍ରନାଥ ପଟ୍ଟନାୟକ, ଅଧ୍ୟାପିକା ଡା. ସଂଯୁକ୍ତା ପଣ୍ଡା ଓ ବ୍ୟଙ୍ଗ କବି ବିଜୟ ଚୌଧୁରୀ ଆଲୋଚ୍ୟ ବିଷୟ ବସ୍ତୁ କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ, ଓ.ଯେ.ୟୁ ବାଙ୍କ ବିହାରୀ ବିଶୋଇ, ଜିଲ୍ଲା ସଭାପତି ଏସ୍ ୟୁ ଯେ ସଦାଶିବ ପ୍ରହରାଜ ଓ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ଯୋଗଦେଇ ପ୍ରେସ ଦିବସ ପାଳନର ତାତ୍ପର୍ଯ୍ୟ ଓ ସାମ୍ବାଦିକଙ୍କ ପ୍ରମୁଖ ଭୂମିକା ଉପରେ ଆଲୋଚନା କରିଥିଲେ । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଓ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଦେବର୍ଷି ନାୟକ ସମସ୍ତ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।