ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ସର୍ବେକ୍ଷଣ

ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ୬ ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ଶ୍ରମିକ ସର୍ବେକ୍ଷଣ କାର୍ଯ୍ୟ କରିବାପାଇଁ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଅଙ୍ଗନବାଡି କର୍ମୀମାନେ ଏହି ସର୍ବେକ୍ଷଣ କାର୍ଯ୍ୟ କରିବା ପାଇଁ ପ୍ରକଳ୍ପ ସମିତି ଦ୍ୱାରା ସ୍ଥିର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ସିଡିପିଓ ଓ ସୁପରଭାଇଜରମାନଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ମିଶନ ଶକ୍ତି ଭବନରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡିଭିଜନାଲ ଶ୍ରମ କମିଶନର ଶ୍ରୀ ପ୍ରସନ୍ନ କୁମାର ସିଂହ ଯୋଗଦେଇ ସର୍ବେକ୍ଷଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପ୍ରକଳ୍ପର ପ୍ରୋଗ୍ରାମ ମ୍ୟାନେଜର ଡ. ସମୀର କୁମାର ନନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭାରତ ସରକାରଙ୍କ ନିୟମାନୁଯାୟୀ ପ୍ରତ୍ୟେକ ତିନି ବର୍ଷରେ ଥରେ ଜିଲ୍ଲାରେ ୬ ରୁ ୧୮ ବର୍ଷର ଶିଶୁ ଓ କିଶୋର ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ସର୍ବଶିକ୍ଷା ଅଭିଯାନ ଓ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ଥଇଥାନ କରି ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଯାଉଛି। ଏହି ସର୍ବେକ୍ଷଣ କାର୍ଯ୍ୟକ୍ରମ ଡିସେମ୍ବର ମାସ ସୁଦ୍ଧା ସମାପ୍ତ କରାଯିବାର ସମୟ ଧାର୍ଯ୍ୟ କରାଯାଇଛି।