ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାସ୍ତରୀୟ ସମସ୍ତ ଅମଲାମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ଦିନ ହେବ ଧାରଣାରେ ବସିଛନ୍ତି । ଧାରଣ ଯିବା ପୂର୍ବରୁ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ । ଏଥିସହିତ ଆହତଙ୍କ ପାଇଁ ଆବଶ୍ୟକ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ରକ୍ତ ଦାନ କରିବା ସହ ଉକ୍ତ ରକ୍ତକୁ ବାଲେଶ୍ୱର ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ନବରଙ୍ଗପୁରର ଏହି କାର୍ଯ୍ୟକ୍ରମରେ ସଦରମହକୁମାର ପ୍ରାୟ ୧୫୦ରୁ ଅଧିକ ଅମଲା ଯୋଗଦାନ କରିଥିଲେ । ଅମଲା ସଂଘର ଦାବୀକୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ ଯଥାର୍ଥ ବୋଲି ପ୍ରତିପାଦିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଲୋକନାଥ ମହାନ୍ତି, ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ, ଆବାହକ ଏମ ବାଲାକ୍ରିଷ୍ଣା ରାଓ, ରାମ ପଣ୍ଡା, ଦିଲ୍ଲୀପ ସାହୁ, ରାମ ପ୍ରସାଦ ରଥ, ଆଶୁତୋଷ ମହାନ୍ତି ଓ ସୀତାରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।