ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା କମିଟି ବୈଠକ

କନ୍ଧମାଳ,ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା କମିଟି ବୈଠକ ଏବଂ କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରନ ସାହୁ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକାରୀ ଯୋଜନା ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାୟଲୋଚନା କରିଥିଲେ । ଆଲୋଚନା ପ୍ରକାରେ, ଜିଲ୍ଲାର ଖମଣଖୋଲ, ଲଙ୍କାଗଡ଼, ସାଡ଼ିଙ୍ଗିଆ, ବୁଡ଼ାଗୁଡ଼ା, କଟିଙ୍ଗିଆ-୧ ଓ କଟିଙ୍ଗିଆ-୨ରେ ସର୍ବମୋଟ୍ ୫ଟି ବାଇକ୍ ଆମ୍ବୁଲାନ୍ସ କାର‌୍ୟ୍ୟ କରୁଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶାନ୍ତି ମୈତ୍ରୀ ସୌଜନ୍ୟରୁ ୨ଟି, ସ୍ୱାତୀ ସୌଜନ୍ୟରୁ ୧ଟି ଏବଂ ଜାଗୃତି ସୌଜନ୍ୟରୁ ୨ଟି କାର‌୍ୟ୍ୟ କରୁଥିବାବେଳେ ଜାଗୃତି ସୌଜନ୍ୟରୁ ସୁବର୍ଣ୍ଣଗିରିରେ ଗୋଟିଏ ଡେଲିଭରି ଭ୍ୟାନ, ସ୍ୱାତୀ ସୌଜନ୍ୟରୁ ଫିରିଙ୍ଗିଆ, ଇନ୍ଦ୍ରଗଡ଼, ବେଲଘର ଓ ସାରଙ୍ଗଡ଼ରେ ୪ଟି ଡେଲିଭରି ଭ୍ୟାନ ଏବଂ ବିକଳ୍ପ ବିକାଶ ସୌଜନ୍ୟରୁ ବ୍ରାହ୍ମଣୀ ଗାଁରେ ଗୋଟିଏ ଡେଲିଭରି ଭ୍ୟାନ୍ କାର‌୍ୟ୍ୟ କରୁଛି । ସେହିପରି ପ୍ରଦାତା, ଏସିଏମ୍‌, ସେବା ଭାରତୀ, ଜାଗୃତି ଓ ଆମଗାମ ସୌଜନ୍ୟରୁ ଜିଲ୍ଲାର ବିଭିନ୍ନ ଅପହଞ୍ଝ ଅଞ୍ଚଳରେ ଆରୋଗ୍ୟ ପ୍ଲସ୍ କାର‌୍ୟ୍ୟ କରୁଛି । ଆହୁରି ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ସୌଜନ୍ୟରୁ ଜିଲ୍ଲାର ବିଭିନ୍ନ ଜାଗାରେ ମା’ ଗୃହ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ଆଦିି କାର‌୍ୟ୍ୟ କରାଯାଉଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପର୍କୀତ ଯେଉଁ ସବୁ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ସେସମ୍ପର୍କରେ ଆଲୋଚନା କରିଥିଲେ । ରୋଗୀ କଲ୍ୟାଣ ସମିତି ସମ୍ପର୍କୀତ ଆଲୋଚନାବେଳେ ଗତ ବୈଠକରେ ଆଗତ ହୋଇଥିବା କାର‌୍ୟ୍ୟ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଆବଶ୍ୟକ ହେଉଥିବା କାର‌୍ୟ୍ୟ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ରିତ, ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ), ହର ପ୍ରସାଦ ଭୋଇଙ୍କ ସମେତ ଉଭୟ କମିଟିର ସମସ୍ତ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।